ଜଙ୍ଗଲ ନିଆଁ ରୋକିବାକୁ ୨୫୦ କିଲୋମିଟର ଫାୟାର ଲାଇନ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଡିଭିଜନରେ ପ୍ରତ୍ୟେକ ବର୍ଷ ଅନେକ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ଜଙ୍ଗଲ ପୋଡି ପାଉଁଶ ହେଉଛି । ଫଳରେ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀ ଏବଂ ପକ୍ଷୀ ନିଜର ଆଶ୍ରୟସ୍ଥଳ ହରାଉଛନ୍ତି । ଖରା ବଢିବା ସହ ବନାଗ୍ନି ବିପଦ ମୁଣ୍ଡ ଟେକିଛି । ଜଙ୍ଗଲରେ ପତ୍ର ଝଡିବା ଆରମ୍ଭ ହୋଇ ସାରିଛି, ଏହା ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଫଳରେ ଏହି ସମୟର ଜଙ୍ଗଲରେ ନିଆଁ ନିଆଁ ଲାଗିବାର ଆଶଙ୍କା ଅଧିକ ରହିବ । ତାପମାତ୍ରା ବଢୁଥିବାରୁ ଆଗକୁ ଏହି ସ୍ଥିତି କମାଇବା ପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି । ଜଙ୍ଗଲରେ ନିଆଁ ରୋକିବା ପାଇଁ ବନବିଭାଗ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇ ଲୋକଙ୍କୁ ସଚେତନ କରାଯାଉଛି । ଜଙ୍ଗଲରେ ନିଆଁ କିପରି ନଲାଗିବ ଏବଂ ନିଆଁ ଦାଉରୁ ଜଙ୍ଗଲ ସଂପଦକୁ କିପରି ସୁରକ୍ଷା ନିଆଯିବ ସେଥିନେଇ ବନବିଭାଗର ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜଙ୍ଗଲ ନିଆଁ ରୋକିବା ପାଇଁ ଲୋକଙ୍କ ସହଯୋଗ କାମନା କରାଯାଇଛି । ଚଳିତ ବର୍ଷ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜରେ ୨୫୦ କିଲୋମିଟର ଫାୟାର ଲାଇନ କରାଯାଉଛି । କ୍ଷେତ୍ରକର୍ମଚାରୀମାନେ ଫାୟରଲାିନ ଅଭିଯାନକୁ ଜୋରଦାର କରିଛନ୍ତି । ଏଥିରେ ଏହି ରେଞ୍ଜର ୧୦୪ ବନ ସୁରକ୍ଷା ସମିତିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଯେଉଁ ବନସୁରକ୍ଷା ସମିତି ଏବଂ ସ୍ୱୟଂ ସହାୟକ ଗୋଷ୍ଠି ଅଧିନରେ ଥିବା ଜଙ୍ଗଲରେ ନିଆଁ ଲାଗିବ ନାହିଁ ତାଙ୍କୁ ୧୦ ହଜାର ଟଙ୍କା ପ୍ରୋସôାହନ ରାଶି ପ୍ରଦାନ କରାଯିବ । ଚଳିତ ବର୍ଷ ୭୦ଟି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୧୨ଟି ସ୍ଥାନରେ ସଚେତନତା ରାଲି ଆୟୋଜନ କରାଯାଉଛି । ଗତବର୍ଷ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲରେ ୧୭୬୫ଟି ସ୍ଥାନରେ ନିଆଁ ଲାଗିଥିଲା । ଭୁୟାଁ ଜୁଆଙ୍ଗ ପୀଢ ବନାଞ୍ଚଳର ସର୍ବାଧିକ ୪୫୯ ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା । ଫାୟାର ପଏଣ୍ଟ ମଧ୍ୟରୁ ଅଧିକାଂଶ ଜଙ୍ଗଲ ସୀମା ବାହାରେ ଥିଲା । ତଥାପି ବନ ବିଭାଗର କ୍ଷେତ୍ରସ୍ତରର କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଅନେକ ସ୍ଥାନରେ ମଣିଷ୍ୟକୃତ ପାଇଁ ଜଙ୍ଗଲ ନିଆଁ ଲାଗିଥିଲା । ଜଙ୍ଗଲ ବିଭାଗ ଠିକଣା ସମୟରେ ଜଙ୍ଗଲ ନିଆଁ ରୋକିବାରେ ପଦକ୍ଷେପ ନେଉଥିବାରୁ ପ୍ରତ୍ୟେକ ବର୍ଷ ବହୁ ମୂଲ୍ୟ ବନ୍ୟସଂପଦ ନଷ୍ଟ ହେବାରୁ ରକ୍ଷା ପାଉଛି । ଜଙ୍ଗଲ ନିଆଁ ରୋକିବା ପାଇଁ ୪୦ଜଣ ଫରେଷ୍ଟ ସ୍କ୍ୱାର୍ଡ ନିୟୋଜିତ କରାଯାଇଥିବାବେଳେ ୩୩ଟି ଫାୟାର ବ୍ଲୋୟର ମହଜୁଦ ରଖାଯାଇଛି ବୋଲି ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ ସୂଚନା ଦେଇଛନ୍ତି । ଭୂୟାଁଜୁଆଙ୍ଗ ପୀଢ ରେଞ୍ଜ ଅଧିନସ୍ଥ କାଦକଳା,ସୁଣ୍ଡୁରା,ରେଙ୍ଗାଳବେଡା,ବାରାହାଗଡ,ଚମ୍ପାଝର,ଆମ୍ବଡରା,କଣ୍ଟାକୋଳି,ମେଦିନପୁର,ପୋଡାଡିହି,ଧଳାଡିହି,ଉପର ଚମ୍ପେଇ, ତଳ ଚମ୍ପେଇ,ବଡରଢୁଁଆ, ଯାତ୍ରା,ନଡାପାଣି,ସୁକଡୋଳା,ଦଅଁଳା,ତଳକାଇପୁର,ଶୁଆକାଟୀ,ଇଚିଣ୍ଡା, ନୀତିଗୋଠ,ବାଂଶପାଳ ହାଟ,ବାଇରୁଗୁଡି ଆଦି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଅନେକ ଗାଁରେ ମହିଳାମାନେ ଶପଥ ନେଇ ଜଙ୍ଗଲ ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି । ଜଙ୍ଗଲ ନିଆଁ ଯୋଗୁଁ ସେମାନଙ୍କ ଜୀବନଜୀବିକା ବାଧାପ୍ରାପ୍ତ ହେଉଥିବା ସେମାନେ କହିଛନ୍ତି । ସେହିପରି ଜଙ୍ଗଲ ନିଆଁ ନ ଲାଗିଲେ ବନ୍ୟପ୍ରାଣୀ ଜଙ୍ଗଲ ଭିତରେ ସୁରକ୍ଷିତ ଭାବରେ ରହିପାରିବେ ବୋଲି ବାଂଶପାଳ ବ୍ଲକ ବଡରଢୁଆଁ ବନସୁରକ୍ଷା ସମିତିର ସଦସ୍ୟମାନେ କହିଛନ୍ତି ।