ଜଙ୍ଗଲ ଭିତରେ ବେଆଇନ୍ ଭାବେ ତିଆରି ହେଉଛି ଦେଶୀମଦ, ୧୭ କୁଇଣ୍ଟାଲ୍ ପୋଚ ନଷ୍ଟକଲା ପୁଲିସ୍
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ବିଭିନ୍ନ ଜଙ୍ଗଲ ଭିତରେ ବେଆଇନ୍ ଭାବେ ତିଆରି ହେଉଛି ଦେଶୀମଦ ଏବଂ ସେସବୁ ଚୋରାରେ ବିକ୍ରି କରାଯାଉଛି। ଏହି ବିଷୟ କୌଣସି ସୂତ୍ରରୁ ଖବର ପାଇ ଖଜୁରିପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗ୍ରାମରେ ସଦର ଏସ୍ଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କ ନେତୃତ୍ୱରେ ବହୁ ପୁଲିସ୍ ବେଆଇନ ଭାବେ ଜଙ୍ଗଲ ମଧ୍ୟରେ ତିଆରି କରୁଥିବା ଦେଶୀମଦ ଭାଟି ଉପରେ ଚଢାଉ କରାଯାଇଥିଲା। ଏହି ଅବସରରେ ପୁଲିସ ପ୍ରାୟ ୧୭ କୁଇଣ୍ଟାଲ୍ ପୋଚ ଦେଶୀମଦ ଜବତ କରିବା ସହ ସେସବୁ ନଷ୍ଟ କରିଦେଇଥିବା ସୂଚନା ମିଳିଛି। ଗୁଦାରି ଗ୍ରାମରେ ନିକଟରେ ପ୍ରବାହିତ ନଦୀ ପାର ହେବା ପରେ କିଛି ବ୍ୟକ୍ତି ଦେଶୀମଦ ପ୍ରସ୍ତୁତ କରିବା ସାଙ୍ଗକୁ ସେସବୁର ଚୋରା କାରବାର ଚଳାଇଥିଲେ। ଖବର ପାଇ ପୁଲିସ୍ ଗୁଦାରି ଗ୍ରାମରେ ପହଞ୍ଚିଥିଲା। ନଦୀପାର ହୋଇ ଘଟଣାସ୍ଥଳକୁ ଯିବା ପାଇଁ କିଛି ସମୟ ଲାଗିଥିଲା। ଏହା ସୁଯୋଗ ନେଇ ମଦକାରବାରରେ ଏହି କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନେ ଜଙ୍ଗଲରେ କୁଆଡ଼େ ଫେରାର୍ ହୋଇଯାଇଥିବା ଜଣାଯାଇଛି। ତେବେ ଏହି ଚଢାଉରେ ପୋଚ ନଷ୍ଟ କରାଯାଇଥିଲେ ମଧ୍ୟ ଏନେଇ କୌଣସି ମାମଲା ରୁଜୁହୋଇ ନାହିିଁ କିମ୍ବା କାହାରିକୁ ଗିରଫ କରାଯାଇ ନଥିବାବେଳେ ଏହି ଅଭିଯାନ ଜାରି ରିହବ ବୋଲି ଏସ୍ଡିପିଓ ପ୍ରକାଶ କରିଛନ୍ତି।