ଜଙ୍ଗଲ ମଝିରେ ବନବିଭାଗ ଖୋଳିଛି ମୃତ୍ୟୁର କୂଅ

ଭୁବନେଶ୍ୱର : ଜଙ୍ଗଲ ମଝିରେ ଏକଦା ନର୍ସରୀ ପାଇଁ ବନ ବିଭାଗ ବିରାଟ ଏକ କୁଅ ଖୋଳିଥିଲା । ନର୍ସରୀ ବନ୍ଦ ହୋଇଗଲାଣି ବହୁବର୍ଷ ତଳୁ । ହେଲେ ଚଉତରା ହୋଇନଥିବା କୂଅଟି ସେମିତି ରହିଛି । ପ୍ରତି ମାସରେ ଏହି ଖୋଲାକୂଅରେ ପଡ଼ି ବହୁ ସଂଖ୍ୟକ ଜୀବଜନ୍ତୁଙ୍କ ଜୀବନ ଯାଉଛି । ପଚାସଢା ଗନ୍ଧରେ ନାକ ଫାଟୁଛି, ହେଲେ ବନ ବିଭାଗର ଚେତା ପଶୁନି । ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ପ୍ରକାରନ୍ତରେ ନିରୀହ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ସାଜିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଞ୍ଚାୟତ ଅଧିନସ୍ଥ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲରେ । କିଛିବର୍ଷ ତଳେ ଏହି ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ନର୍ସରୀ ଖୋଲା ଯାଇଥିଲା । ଏଥିପାଇଁ ବିରାଟ ଏକ ପଥର କୂଅ ଖୋଳା ମଧ୍ୟ ହୋଇଥିଲା । ନର୍ସରୀ ବନ୍ଦ ହେବା ପରେ ବନ ବିଭାଗ ବିପଦ ସଙ୍କୁଳ ଭାବେ କୂଅଟିକୁ ନ ପୋତି ଛାଡ଼ି ଦେଇଗଲେ । ଏହି କୂଅ ସେହି ଦିନଠାରୁ ମୃତ୍ୟୁର କୂଅ ସାଜିଛି । ଜଙ୍ଗଲରେ ବିଚରଣ କରୁଥିବା ବାର୍‌ହା, ଠେକୁଆ, ହରିଣ, ବିଲୁଆ, ମୟୂର ଆଦି ସେହି କୁଅଭିତରେ ପଡ଼ି ଜୀବନ ହାରୁଛନ୍ତି । ଏହି କୁଅଟିକୁ ଚାରିପଟୁ ଆବଦ୍ଧ କରିବାର ଆବଶ୍ୟକତା ରହିଛି । ଚାରିପଟେ ବାଡ଼ କରାଗଲେ ଅକାରଣରେ ଜୀବଜନ୍ତୁଙ୍କ ଜୀବନ ଯାଆନ୍ତା ନାହିଁ ବୋଲି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏକ ପ୍ରେସ୍ ବିବୃତ୍ତିରେ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ