ଜଜାଙ୍ଗ ଖଣିରେ ଗଣ୍ଡୋଗଳ ୧ ଗୁରୁତର
ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ତଥା ବାମେବାରୀ ଥାନା ଅଧିନସ୍ଥ ଜଜାଙ୍ଗ ଖଣିରେ ଗୋଟିଏ ପକ୍ଷର ଶ୍ରମିକଙ୍କ ମାଡରେ ଅନ୍ୟ ପକ୍ଷର ଜଣେ ଶ୍ରମିକ ଆହତ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ଆହତ ହୋଇଥିବା ବ୍ୟକ୍ତି ହେଲେ ଯୋଗେନ୍ଦ୍ର ମହାନ୍ତ ଓ ଗୁରୁତର ଆହତ ହୋଇଥିବା ବ୍ୟକ୍ତ ହେଲେ କୁଳମଣି ବାରିକ । ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଶନିବାର ସକାଳ ପ୍ରାୟ ୯.୩୦ ମିନିଟ୍ ସମୟରେ ଖଣିରେ କାର୍ଯ୍ୟ କରିବାକୁ ଯାଇଥିବା ଶ୍ରମିକ ମାନଙ୍କୁ ଆନ୍ଦୋଳନ କରୁଥିବା ଶ୍ରମିକ ସଂଘର କିଛି ସମର୍ଥକ ସଂଘବଦ୍ଧ ହୋଇ ଠେଙ୍ଗାବାଡି ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କୁଳମଣି ବାରିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ପୋଲିସ ଖବର ପାଇ ସଦଳବଳେ ଖଣିରେ ପହନଚିବା ପରେ ଆନ୍ଦୋଳନକାରୀ ସମର୍ଥକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଖଣିରେ ଲାଗିଥିବା ସିସି ଟିଭି ଫୁଟେଜ୍ ଆଧାରରେ ଜାଂଚ ଆରମ୍ଭ କରିଛି । ଆକ୍ରମଣ କରିଥିବା ଆନ୍ଦୋଳନକାରୀମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି । ପ୍ରକାଶ ଥାଉକି, ଜଜାଙ୍ଗ ଖଣିରେ ଗୁରୁବାର ଦିନ ଭାରତୀୟ ମଜଦୁର୍ ସଂଘ ସମର୍ଥିତ ତଥା ଜଜାଙ୍ଗ ମାଇନ୍ସ ମଜଦୁର୍ ସଂଘର କିଛି ଶ୍ରମିକମାନେ ବିଭିନ୍ନ ଦାବି ପୂରଣ ନେଇ ଖଣି ଭିତରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିଲେ । ଖଣିରେ ତା ୨୯/୦୯/୨୦୧୯ ରିଖରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଅଛି । ଯାହାକି, ଆସନ୍ତା ତା ୨୯/୧୧/୨୦୧୯ ରିଖ ପର୍ଯ୍ୟନ୍ତ ବଳବତର ରହିବ । ୧୪୪ ଧାରା ଜାରି ରହିଥିବା ସତ୍ୱେ ମଧ୍ୟ ଉକ୍ତ ଶ୍ରମିକ ସଂଘ ପକ୍ଷରୁ ଖଣି ଭିତରେ ଆଇନ୍ ଉଲଂଘନ କରି ଧାରଣା ଦେବାରୁ ପୋଲିସ ଭାରତୀୟ ମଜଦୁର୍ ସଂଘର ରାଜ୍ୟ ସଂପାଦକ ତଥା ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସଭାପତି ଡାକ୍ତର ମହାନ୍ତ , ଶ୍ରମିକନେତା ଗିରିଶି ମହାନ୍ତଙ୍କ ସମେତ ୪ ଜଣ ସମର୍ଥକ ଶ୍ରମିକଙ୍କୁ ଗିରଫ କରି ଚମ୍ପୁଆ ଉପଖଣ୍ଡ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିଥିଲା । ସୂଚନାଯୋଗ୍ୟ ଯେ, ୧୪୪ ଧାରା ଜାରି ହେବା ସତ୍ୱେ ମଧ୍ୟ ଖଣିରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।


