ଜଟଣୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତା ମରାମତି ଦାବି
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): ଜଟଣୀ ମୁଖ୍ୟ ରାସ୍ତାର ଫ୍ଲାଏ ଓଭର୍ବ୍ରିଜ୍ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଥିବା ବେଳେ ଜଗନ୍ନାଥ ଜମି ସମସ୍ୟାରେ ଲୋକମାନେ ଭିଟାମାଟି ହରାଇ ବସିଛନ୍ତି । ଡ୍ରେନେଜ ବ୍ୟବସ୍ଥା ଫେଲ୍ ହେତୁ ସାମାନ୍ୟ ବର୍ଷାରେ ସହର ଉବୁଟୁବୁ ହେଉଛି । ଅନେକ ସମସ୍ୟା ଥିବାବେଳେ ଏବେ ଜଟଣୀରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରତିଦିନ ହଜାର ହଜାର ଗାଡି ମୋଟର ସହିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇ.ଆଇ.ଟି ଓ ନାଇଜର୍ ଛାତ୍ରଛାତ୍ରୀଙ୍କ ପାଇଁ ସବୁଦିନିଆ ରାସ୍ତା ତଥା ଜଟଣୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତାର ହରିଭାଇନା ଛକ ଓ ବଡନୂଆଗାଁ ଛକ ମଧ୍ୟରେ ମୁଖ୍ୟରାସ୍ତାରେ ବଡ ବଡ ଖାଲଖମା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଜଟଣୀ ପୌରପରିଷଦର ୯ ନଂ ୱାର୍ଡ ଅଧିନରେ ଯାଉଥିବା ବେଳେ କାଉନ୍ସିଲର୍ ମାନଙ୍କ କାର୍ଯ୍ୟକାଳ ଅବଧି ସରିଯିବା ପରେ ଏଥିପ୍ରତି ପୌରପରିଷଦ ଦୃଷ୍ଟି ନଦେଇ ପୂର୍ତ୍ତବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ରାସ୍ତା ଉପରେ ଖାଲଖମା ହୋଇଥିବା ବେଳେ ନରାଜରୁ ପାନୀୟ ଜଳ ପ୍ରକଳ୍ପରେ ମୁଖ୍ୟରାସ୍ତା କଡରେ ବିଛାଯାଇଥିବା ଏହି ପାଇପ୍ ବିଭିନ୍ନ ସ୍ଥାନରେ ଫାଟି ଖାଲଖମା ମଧ୍ୟରେ ପାଣି ଭର୍ତ୍ତି ହୋଇ ଏକ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଆସୁଥିବା ଅତିଥି, ଆଗନ୍ତୁକ ଏହି ପାଣିଭର୍ତ୍ତି ଖାଲଖମାରେ ଗାଡିମୋଟର ସହ ପଡି ଖଣ୍ଡିଆଖାବରା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଇ ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ଦାବି ହେଉଛି ।