ଜଟଣୀ ବିଧାୟକଙ୍କ ପ୍ରଥମ ଇନିଂସ୍ବହୁ ପ୍ରତିକ୍ଷିତ ଫ୍ଲାଏ ଓଭର୍ବ୍ରିଜ୍ ନିର୍ମାଣର କଲେ ଶୁଭାରମ୍ଭ
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): ଜଟଣୀର ନୂତନ ବିଧାୟକ ସୁରେଶ କୁମାର ରାଉତରାୟ ଶପଥ ପାଠ ପୂର୍ବରୁ ପ୍ରଥମ ଇନିଂସ୍ ଦେଖାଇଛନ୍ତି । ବହୁ ପ୍ରତିକ୍ଷିତ ରେଳବାଇ ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣ ପାଇଁ ଆଜି ଶୁଭ ଖୁଣ୍ଟିି ପକାଇଛନ୍ତି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୂତିକୁ ପାଳନ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁସାରେ, ଖୋର୍ଦ୍ଧା-ପିପିଲି ମୁଖ୍ୟ ରାସ୍ତାର କୁଦିଆରି ଅଞ୍ଚଳରେ ଥିବା ରେଳବାଇ ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ୫୦ ବର୍ଷର ସଂଘର୍ଷ ପରେ ୨୦୧୪ରେ ୫୫ କୋଟି ଟଙ୍କା ବ୍ୟୟବରାଦରେ ରେଳବିଭାଗ ଓ ପୁର୍ତ୍ତ ବିଭାଗର ମିଳିତରେ ଏହି ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣର କାର୍ଯ୍ୟାରମ୍ଭ ହୋଇଥିଲା । ମାତ୍ର ବିବାଦ ଦେଖାଦେବାରୁ ତାହା ସ୍ଥଗିତ ରଖାଯିବାସହ ଘଟଣା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥି ମଧ୍ୟରେ ଦୁଇ ଦୁଇ ଥର ଟେଣ୍ଡର୍ ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହି ବ୍ରିଜ୍ କାମ ସରୁ ନଥିବାରୁ ପ୍ରତ୍ୟହ ଛୋଟବଡ ଦୁର୍ଘଟଣା ଘଟିବାସହ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି । ଗତ ଦୁଇ ଦିନ ତଳେ ଏହି ଫ୍ଲାଏଓଭର୍ ବ୍ରିଜ୍ ତଳେ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଚାଲିଗଲା । ତେବେ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଜଟଣୀବାସୀ ନୂତନ ବିଧାୟକ ଶ୍ରୀ ରାଉତରାୟଙ୍କୁ ନିବେଦନ କରିଥିଲେ । ତେଣୁ ବିଧାୟକ ଶପଥ ପାଠ ପୂର୍ବରୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ମନେକରି ବୁଧବାର ପୁର୍ବାହ୍ନରେ ଶ୍ରୀରାଉତରାୟ ହୋମ କରି ବ୍ରିଜ୍ ନିର୍ମାଣର ଶୁଭଖୁଣ୍ଟି ପକାଇଥିଲେ । ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ କରାଗଲା ବୋଲି ଶ୍ରୀ ରାଉତରାୟ ସୁଚନା ଦେଇଥିଲେ । ଏହା ସହିତ ଝୁମ୍ପୁଡି ବାସୀଙ୍କ ଥଇଥାନ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ସ୍ଥାୟିତ୍ୱ ଉପରେ ଆଲୋଚନା କରିଥିଲେ । ତେଣୁ ଜଟଣୀ ବିଧାୟକଙ୍କ ଏହା ପ୍ରଥମ ଇନିଂସ୍ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଠିକା ସଂସ୍ଥାର ଯନ୍ତ୍ରୀମାନଙ୍କ ସହିତ ପୁର୍ତବିଭାଗ ଏସ୍.ଡି.ଓ ଶ୍ରୀ ବି.ସି.ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ଓ.ବି.ସି ସେଲ୍ ଅଧ୍ୟକ୍ଷ କଳିଙ୍ଗ କୁମାର ସାହୁ, ରାଜ୍ୟ ଛାତ୍ର କଂଗ୍ରେସ୍ ସଂଯୋଜକ ସମ୍ବିତ୍ କୁମାର ମଙ୍ଗରାଜ, ପୁର୍ବତନ କାଉନ୍ସିଲର୍ ଜଟାଧାରୀ ପ୍ରଧାନ, ଅନନ୍ତ ବେହେରା, ଲୁସେନ୍ ରାୟ, ନୌସର ଅଲ୍ଲୀଙ୍କ ସହିତ ବିଜୟ କୁମାର ଛୋଟରାୟ, ପ୍ରମୋଦ ହରିଚନ୍ଦନ, କାଳନ୍ଦୀ ନାୟକ, ବାଇନ ପ୍ରଧାନ, ଅସ୍ରାର ହୁସେନ୍, ଲକ୍ଷ୍ମୀଧର ବିଶ୍ୱାଳ ଓ ଅନ୍ୟମାନେ ଯୋଗ ଦେଇଥିଲେ ।


