ଜଟିଳ ହେଉଛି ମହାରାଷ୍ଟ୍ର ରାଜନୀତି ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ: ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ସରକାର ଗଠନ ହୋଇପାରୁ ନାହିଁ । ଆଜି ସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଖୁବ୍ ଶୀଘ୍ର ଜଣେ ସେନା ନେତା ହିଁ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଆଗକୁ ରାଜ୍ୟ ରାଜନୀତି ବଦଳିବ । ଶିବସେନା ଆଜି ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ସମାଲୋଚନା କରି କହିଛି ଯେ ମହାରାଷ୍ଟ୍ରରେ ସରକାର ଗଠନ ତାଙ୍କ ପାଇଁ ହିଁ ବିଳମ୍ବ ହେଉଛି । ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପଦକ୍ଷେପ ଉପରେ ମହାରାଷ୍ଟ୍ର ରାଜନୀତିର ଗତି ନିର୍ଭର କରୁଛି ବୋଲି ଶିବସେନା କହିଛି ।
ଅନ୍ୟପକ୍ଷରେ ସ୍ୱାଧୀନ ବିଧାୟକ ରବି ରାଣା କହିଛନ୍ତି, ଶିବସେନା ଯଦି ବିଜେପି ସହ ନରହେ ତେବେ ଏହା ଦୁଇ ଭାଗ ହୋଇଯିବ । ସରକାର ଗଠନରେ ବିଳମ୍ବ ହେବାପାଇଁ ଶିବସେନାକୁ ଦାୟୀ କରି ରାଣା କହିଛନ୍ତି, ସ୍ପଷ୍ଟ ଜନମତ ସତ୍ତ୍ୱେ ସେନା ସରକାର ଗଠନରେ ବିଳମ୍ବ କରୁଛି । ଏଭଳି କାର୍ଯ୍ୟ ମହାରାଷ୍ଟ୍ରବାସୀଙ୍କ ପାଇଁ ଅପମାନ । ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେଲେ ୨୦-୨୫ ଜଣ ଶିବସେନା ବିଧାୟକ ବିଜେପିକୁ ସମର୍ଥନ ଦେବେ । ରାଣା କହିଛନ୍ତି, ଶିବସେନା ବିଜେପି ସହ ମେଣ୍ଟ କରିଥିବାରୁ ୫୬ ଆସନରେ ଜିତିପାରିଛି, ନଚେତ୍ ଏହା ୨୫ଟି ଆସନରେ ସୀମିତ ରହିଥାନ୍ତା ।
ମହାରାଷ୍ଟ୍ରରେ କ୍ଷମତା ସଂଘର୍ଷ ଲାଗି ରହିଥିବା ବେଳେ ଶିବସେନା ଆଜି ଏହି ମାମଲାରେ ହସ୍ତକ୍ଷେପ କରିବାପାଇଁ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛି । ଶିବସେନା ନେତା କିଶୋର ତିୱାରୀ ଆଜି ମୋହନ ଭାଗବତଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବାପାଇଁ କହିଛନ୍ତି । ତିୱାରୀ କହିଛନ୍ତି, ବିଜେପି-ଶିବସେନା ମେଣ୍ଟକୁ ସ୍ପଷ୍ଟ ଜନମତ ମିଳିଛି । କିନ୍ତୁ ବିଜେପି ମେଣ୍ଟ ଧର୍ମ ପାଳନ ନ କରିବାରୁ ସରକାର ଗଠନରେ ବିଳମ୍ବ ହେଉଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ୱରେ ବୁଝାମଣା ହେଲେ ସବୁ ଅନିଶ୍ଚିତତାର ଅବସାନ ଘଟିବ ବୋଲି ସେ କହିଛନ୍ତି । ନୀତିନ ଗଡ଼କରୀ ମାତ୍ର ୨ ଘଣ୍ଟା ମଧ୍ୟରେ ଏହି ସମସ୍ୟାର ସମାଧାନ କରିଦେବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ