ଜଣପିଛା ହଜାରେ ଟଙ୍କା, ଗାଡିଭଡା ଓ ଖାଇବା ଖର୍ଚ୍ଚ ଦେଇ ଯୋଗୀଙ୍କ ସଭାକୁ ଲୋକବୁହା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଜେପି ପକ୍ଷରୁ ଜଣପିଛା ହଜାରେ ଟଙ୍କା, ଗାଡିଭଡା ଓ ଖାଇବା ଖର୍ଚ୍ଚ ଦେଇ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ସଭାକୁ ମହିମାମଣ୍ଡିତ କରିବା ଉଦେଶ୍ୟରେ କେନ୍ଦ୍ରାପଡାରୁ ଲୋକବୁହା ହୋଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ସାଲେପୁର ନିକଟସ୍ଥ କୁଳିଆ ଠାରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପୈାରହିତ୍ୟରେ କୁଳିଆରେ ଅନୁଷ୍ଠିତ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଏବେ ମୋଦୀଙ୍କ ଲହର ଚାଲିଥିବାରୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କ ସମେତ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ ଭଡାଟିଆ ଲୋକମାନଙ୍କୁ କହିଥିଲେ । ମାତ୍ର କେଇ ମିନିଟ ବକ୍ତବ୍ୟରେ ଯୋଗୀ ଆଦିତ୍ୟନାଥ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ବୁଲଡୋଜର ଚଢାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ସେ ଚେଷ୍ଟା କରିଥିଲେ । ପ୍ରବଳ ଖରାରେ ଭଡାଟିଆ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ଶେଷରେ ଜଣଙ୍କା ହଜାରେ ଟଙ୍କା ଓ ଖାଇବା ଖର୍ଚ୍ଚ ବିଜେପି ଠାରୁ ନେଇ ସେଠାରୁ ଭଡାଟିଆ ଲୋକମାନେ ଭଡାଗାଡିରେ ବିଦାୟ ନେଇଥିଲେ । କୁଳିଆରୁ କେନ୍ଦ୍ରାପଡା ଫେରିବା ପରେ କିଛି ଲୋକଙ୍କୁ ପଚାରିବାରେ ସେମାନେ କହିଥିଲେ ଯେ ଆମେ ଜଣଙ୍କା ହଜାରେ ଟଙ୍କା, ଖାଇବା ଖର୍ଚ୍ଚ ଏକଶହ ଓ ଗାଡିଭଡା ବାବଦକୁ ଅଢେଇହଜାର ଟଙ୍କା ନେଇ କୁଳିଆରେ ହୋଇଥିବା ବିଜେପି ସଭାକୁ ଯାଇଥିଲୁ । ଆମେ ବିଜେପିର ଲୋକ ନୁହଁ କି ବିଜେପିକୁ ଭୋଟ ଦେବୁ ନାହିଁ ବୋଲି ସେମାନେ କହିଥିଲେ । ଗୋଟିଏ ଗୋଟିଏ ଗାଡିରେ ଆମେ ମାତ୍ର ୩ରୁ ୫ଜଣ ଯାଇଥିଲୁ । ଆମର ମଜୁରୀ ପାଞ୍ଚଶହ ଟଙ୍କା ହୋଇଥିବା ବେଳେ ଆମେ ହଜାରେ ଟଙ୍କା ମଜୁରୀ ନେଇ ସେଠାରୁ ଘରକୁ ଫେରିଲୁ ବୋଲି ସେମାନେ କହିଥିଲେ । କେନ୍ଦ୍ରାପଡାରେ ବିଜେପିର ଏଭଳି ଦୟନୀୟ ପରିସ୍ଥିତି ଆଗାମୀ ଜୁନ ପହିଲାରେ ହେଉଥିବା ଭୋଟରେ କିଭଳି ପ୍ରତିଫଳିତ ହେଉଛି ତାହା ଦେଖିବାକୁ ବାକି ରହିଲା ।


