ଜନକଲ୍ୟାଣକାରୀ ସଂଗଠନ ‘ସହାୟକ’ ପକ୍ଷରୁ ସହାୟତା ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଏକ ପ୍ରମୁଖ ଜନକଲ୍ୟାଣକାରୀ ସଂଗଠନ ‘ସହାୟକ’ର ମାସିକିଆ ବୈଠକ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ଗୃହରେ ଡ. କ୍ଷିତୀଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ‘ସହାୟକ’ ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା ବୃକ୍ଷରୋପଣ, ରକ୍ତଦାନ ଶିବିର, ପାନୀୟ ଜଳ ଦାନ, ଗରିବ ପୁଅ ଝିଅଙ୍କ ବିଭାଘର, ଦରିଦ୍ର ନାରାୟଣ ସେବା, ଦିବ୍ୟାଙ୍ଗ ବିଦ୍ୟାଳୟର ଅନ୍ତେବାସୀଙ୍କୁ ସାହାଯ୍ୟ ପ୍ରଭୃତି କାର୍ଯ୍ୟ କରିଆସୁଅଛି । ଚଳିତ ମାସ ମାସିକ ବୈଠକ ଅବସରରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ତଥା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ୫ଜଣ ଛାତ୍ରଛାତ୍ରୀଙ୍କୁ ସଂଗଠନ ତରଫରୁ ସ୍ୱର୍ଗତଃ ଅନିରୁଦ୍ଧ ବେହେରା ସ୍ମାରକୀ ବୃତ୍ତି ପ୍ରଦାନ କରାଯାଇଥିଲା । ସ୍ୱର୍ଗତଃ ଅନିରୁଦ୍ଧ ବେହେରା ‘ସହାୟକ’ର ପୃଷ୍ଠପୋଷକ ସଭ୍ୟ ଥାଇ ଦେହାନ୍ତ ଘଟିଛି । ତାଙ୍କର ସୁପୁତ୍ର ମାନସ ବେହେରା ବିଦେଶରେ ଥାଇ ‘ସହାୟକ’ର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ବିଶେଷ ଅନୁପ୍ରାଣିତ ହୋଇ ଏହି ବୃତ୍ତି ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପିଲାଙ୍କୁ ଚାରିହଜାର ଟଙ୍କା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ସେହିପରି ଟୀଣା ଗ୍ରାମର ଜଣେ ସ୍ୱାମୀ ପରିତ୍ୟକ୍ତା ଅସହାୟା ମହିଳା ତଥା ଦିନମଜୁରିଆ ଭାବେ କାମ କରୁଥିବା ଶ୍ରୀମତୀ ଉମାମଣୀ ବାରିକଙ୍କ ଚିକିତ୍ସା ପାଇଁ ସହାୟକର ସଦସ୍ୟ ସଦସ୍ୟାମାନେ ତାଙ୍କ ପିତାଙ୍କ ମାଧ୍ୟମରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତତ୍‌ସହିତ ଆଗାମୀ ଏପ୍ରିଲ୍ ଏକ ତାରିଖ ଠାରୁ ଜୁନ୍ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଭଳି ପାନୀୟ ଜଳ ବିତରଣ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିବରଣୀ ପ୍ରଦାନ କରିଥିଲେ ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ, ଅର୍ଥ ବିବରଣୀ ପ୍ରଦାନ କରିଥିଲେ କୋଷାଧ୍ୟକ୍ଷ ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ, ବକ୍ତବ୍ୟ ରଖିଥିଲେ ପ୍ରାକ୍ତନ ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ, ଉପଦେଷ୍ଟା ଇଂ. ବନମାଳୀ ନାୟକ ତଥା ସହଯୋଗ କରିଥିଲେ ସାବିତ୍ରୀ ଦାସ, ପ୍ରଣିତା ମିଶ୍ର, ବସନ୍ତ କୁମାର ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ରବୀନ୍ଦ୍ର ପ୍ରହରାଜ, ଦିବାକର ମହାପାତ୍ର, ଗୁଣାକର ଦେ, ଶଶାଙ୍କ ଶେଖର ଦତ୍ତ, ଡା. ତାରାକାନ୍ତ ନନ୍ଦ, ନିରଂଜନ ପରିଡ଼ା, ରବି ନାରାୟଣ ଭୋଳ, ଇଂ. ଶଶାଙ୍କ ଶେଖର ଦେ, ରବି ପାଣିଗ୍ରାହୀ, ସୁରେନ୍ଦ୍ର ପ୍ରସାଦ ଧଳ, ଗଂଗାଧର ପୃଷ୍ଟି ପ୍ରମୁଖ । ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ