ଜନଜାତି ଛାତ୍ରୀଙ୍କ ଶିକ୍ଷାବୃତ୍ତି ଅର୍ଥ ଜାଲିଆତି କରି ହଡପ ଅଭିଯୋଗ : ତଦନ୍ତ ଦାବୀ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ୍‌ ସ୍ଥିତ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟର ଯୁକ୍ତତିନି କଳା ଶେଷ ବର୍ଷର ଅନୁସୂଚିତ ଜନଜାତି ଛାତ୍ରୀ ସସ୍ମିତା କାର୍ଜିମାଝୀଙ୍କ ଶିକ୍ଷାବୃତ୍ତି ଅର୍ଥ ମହାବିଦ୍ୟାଳୟ କର୍ମଚାରୀ ହଡ଼ପ କରିଥିବା ନେଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ତାଙ୍କ ଅଜାଣତରେ ସମସ୍ତ ଶିକ୍ଷା ପ୍ରମାଣପତ୍ରର ନକଲ ନେଇ ବ୍ରହ୍ମପୁର ସ୍ଥିତ ଏକ କଲେଜରେ ବିବିଏ ପାଠ୍ୟକ୍ରମରେ ନାମ ବି ଲେଖା ହୋଇଛି । ବ୍ରହ୍ମପୁରରେ ତାଙ୍କ ନାମରେ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲାଯିବା ସହ ଏଟିଏମ୍‌ କାର୍ଡ଼ ଇସ୍ୟୁ କରାଯାଇ ତାହା ମଧ୍ୟ ସସ୍ମିତାଙ୍କ ଅଜାଣତରେ ସଂଗ୍ରହ କରାଯାଇ ଅର୍ଥ ହଡ଼ପ ହୋଇଥିବା ଜଣାପଡ଼ିଛି । ସସ୍ମିତା ୨୦୧୭ ମସିହାରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇ ଅଧ୍ୟୟନ ଆରମ୍ଭ କରିଥିଲେ । ସରକାରଙ୍କ ଯୋଜନା ପ୍ରକାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାବୃତ୍ତି ଯୋଜନାରେ ଆର୍ଥିକ ସହାୟତା ପାଇଁ ଦରଖାସ୍ତ କରିଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ବାବଦ ଅର୍ଥ ଆସିଥିଲା ବେଳେ ସସ୍ମିତା ଶିକ୍ଷା ବୃତ୍ତି ବାବଦ ଅର୍ଥ ପାଇ ନଥିଲେ । ଏ ବିଷୟରେ ସେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଦରଖାସ୍ତ କରିବାରେ ତ୍ରୁଟି ଯୋଗୁଁ ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା କର୍ତ୍ତୃପକ୍ଷ କାରଣ ଦର୍ଶାଇଥିଲେ। ହେଲେ ପ୍ରତିଥର ନିରାଶ ହୋଇଥିବା ସସ୍ମିତା ନୟାଗଡ଼ ଜିଲ୍ଲାରେ ଉଚ୍ଚଶିକ୍ଷା ପାଇଁ ଯିବା ପରେ ସେଠାରେ ସଂପୃକ୍ତ କଲେଜର କର୍ମଚାରୀ ଆଧ‌ାର ନମ୍ବର ନେଇ ଯାଞ୍ଚ୍‌ କରିବା ପରେ ଶିକ୍ଷାବୃତ୍ତି ତାଙ୍କ ନାମରେ ଆସିଥିବା ଓ ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ। ସସ୍ମିତାଙ୍କ ଭଳି ତାଙ୍କର ଆଉ ଜଣେ ସାଙ୍ଗ ସୁରମି ମଳିକଙ୍କର ମଧ୍ୟ ଶିକ୍ଷାବୃତ୍ତି ଅର୍ଥ ହଡ଼ପ ହୋଇଥିବା ପ୍ରମାଣ ରହିଛି । ଏ ନେଇ  ସସ୍ମିତା ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ପଠାଇଛନ୍ତି । ଏ ବିଷୟରେ ଋଷିମାଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ନାୟକଙ୍କ ସହ ଯୋଗାଯୋଗ ପରେ ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହ ଦୋଷୀକୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ