ଜନତା କଫ୍ୟୁକୁ, ବାହାରକୁ ବାହାରିଲେନି କେହି, ଦୋକାନ ବଜାର, ରାସ୍ତାଘାଟ ଶୂନଶାନ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ସାରା ବିଶ୍ୱ ଏବେ କରୋନା ଭାଇରସ ଭୟରେ ଥରହର ହୋଇପଡିଥିବା ବେଳେ ଏନେଇ କୌଣସି ଔଷଧ ବାହାରି ନଥିବା ଜଣାଯାଇଛି । ଏହି ଭୟଙ୍କର ରୋଗରୁ ମୁକ୍ତି ପାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିନକୁ ଜନତା କଫ୍ୟୁ ଭାବେ ପାଳନ କରିବା ପାଇଁ ସମଗ୍ର ଦେଶବାସୀଙ୍କୁ ନିବେଦନ କରିଥିଲେ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଧରି କୌଣସି ଲୋକ ବାହାରକୁ ନବାହାରିବା ପାଇଁ ନିବେଦନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ଲୋକ ମାନେ ଅକ୍ଷରେ ଅକ୍ଷରେ ପାଳନ କରିଥିବା ଦେଖାଯାଇଛି । ସମଗ୍ର ବନ୍ତ ବ୍ଲକର ୨୫ଟି ପଞ୍ଚାୟତ ଲୋକ ମାନେ ଏହାକୁ ପାଳନ କରିଛନ୍ତି । ଆଜି ସକାଳ ୭ଟା ଠାରୁ ବନ୍ତ ସଦର ମହକୁମାସ୍ଥିତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । କେବଳ କାଁଭାଁ କେତୋଟି ଔଷଧ, କ୍ଷୀର, ଫଳ, ତେଜରାତି, ପରିବା ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ଗୁଡିକ ବନ୍ଦ ରହିଥିଲା । ସାଧାରଣ ଲୋକ ମାନଙ୍କର ସୁବିଧାକୁ ଲକ୍ଷ୍ୟ କରି ବନ୍ତରେ ଥିବା ୩ଟି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଦୋକାନ ଖୋଲା ରହିଥିବାର ଦେଖାଯାଇଥିଲା । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ, ବନ୍ତ-ବାରିକପୁର ଓ ବନ୍ତ-କେନ୍ଦୁଆପଦା ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରିନଥିଲା । ଲୋକ ମାନଙ୍କୁ ସଚେତନ କରାଇବା ସହ ଆଇନଶୃଂଖଳା ପରିସ୍ଥିତି ପାଇଁ ବନ୍ତ, କେନ୍ଦୁଆପଦା ଫାଣ୍ଡି ପୋଲିସ ବିଭିନ୍ନ ରାସ୍ତାରେ ପେଟ୍ରୋଲିଂ କରୁଥିବା ଦେଖାଯାଇଥିଲା ।


