ଜନତା ହୋଟେଲ,ସମେତ ବିଭିନ୍ନ ଦୋକାନ ସିଲ୍ କଲା ପ୍ରଶାସନ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଜନତା ହୋଟେଲ ସମେତ ଫିଷ୍ଟ ରେଷ୍ଟୁରାଣ୍ଟ କୁ ରବିବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।ସେହିପରି ଅନ୍ୟ ୩ ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ୍ କରାଯିବା ସହ ଲୁଚା ଚୋରାରେ ବିକ୍ରି କରୁଥିବା ମାଛ,ମାଂସ ଓ ଚିକେନ ଦୋକାନ ଉପରେ ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର ,ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ଅତର୍କିତ ଚଢାଉ କରି ଜରିମାନା ଆଦାୟ କରିଥିବା ଜଣାପଡିଛି। କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ କୋଭିଡ ନିୟମକୁ ଉଲ୍ଲଂଘନ କରି ରବିବାର ଶଟ୍ ଡାଉନ୍ ସମୟରେ କିଛି ବ୍ୟବସାୟୀ ବେଆଇନ ଭାବେ ବ୍ୟବସାୟ ଚଳାଇଥିବା ସୂଚନା ପାଇ ଦିଗପହଣ୍ଡି ତହସିଲଦାର ଙ୍କ ନେତୃତ୍ୱରେ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ ପକ୍ଷରୁ ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଜନତା ହୋଟେଲ, ଫୀଷ୍ଟ ରେଷ୍ଟୁରାଣ୍ଟ ସମେତ ନିର୍ଦ୍ଦିଷ୍ଟ କିଛି ଗ୍ରୋସରି ଦୋକାନ ଓ ରାସ୍ତାକଡ଼ରେ ଥିବା ମାଛ, ମାଂସ ଦୋକାନ ଗୁଡିକରେ ବହୁ ସଂଖ୍ୟକ ଗ୍ରାହକ ଙ୍କ ଭିଡ଼ ଲାଗି ରହିଥିଲା।ଗ୍ରାହକ ମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିବାସହ ଅନେକ ଗ୍ରାହକ ମାସ୍କ୍ ପିନ୍ଧି ନଥିଲେ।ଦୋକାନୀ ମାନେ ମଧ୍ୟ ପାଖରେ ସାନିଟାଇଜର ରଖିନଥିଲେ କିମ୍ବା ହାତରେ ଗ୍ଲୋବସ ନ ପିନ୍ଧି ବ୍ୟବସାୟ ଚଳାଇଥିଲେ। ତହସିଲଦାର ସବୁ ଦୋକାନ ଗୁଡ଼ିକୁ ବନ୍ଦ କରିଦେବା ସହ ଗ୍ରାହକ ମାନଙ୍କୁ ଦୋକାନ ମଧ୍ୟରୁ ଘଉଡାଇ ଦେଇଥିଲେ। ପରେ ସେସବୁ ଦୋକାନ ଗୁଡ଼ିକୁ ତାଲା ପକାଇ ଜଉମୁଦ ଦେଇ ସିଲ୍ କରାଯାଇଥିବା ଜଣାପଡିଛି।ଏନେଇ ତହସିଲଦାର ଙ୍କୁ ପଚାରିବାରୁ ହୋଟେଲ,ରେଷ୍ଟୁରାଣ୍ଟ ସମେତ ଦୋକାନ ଗୁଡ଼ିକୁ ୭ ଦିନ ଯାଏଁ ସିଲ୍ କରି ରଖାଯିବ। ପରେ ଜିଲା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ବ୍ୟବସାୟୀ ମାନେ ନିର୍ଦ୍ଧାରିତ ସ୍ଵିକାରୋକ୍ତି ପ୍ରଦାନ ସହ ଜରିମାନା ଦାଖଲ କରିବାପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ, ଗତ ଜୁନମାସ ଲକ୍ ଡାଉନ୍ ସମୟସୀମା ମଧ୍ୟରେ କୋଭିଡ ନିୟମ ଭଙ୍ଗ କରିଥିବା ୯ ଟି ଦୋକାନକୁ ଏନ୍ ଏ ସି ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ସୂଚନା ଅନୁଯାୟୀ , ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ ଗଞ୍ଜାମ ଜିଲାରେ ଦୃତ ଗତିରେ ବଢୁଥିବା ବେଳେ ରାଜ୍ୟ ସରକାର ଏନେଇ ଜୁଲାଇ ୩୧ ଯାଏଁ ଲକ୍ ଡାଉନ ନିୟମ ରଖିଛନ୍ତି। ଜିଲା ପ୍ରଶାସନ ପ୍ରତି ଶନିବାର ଓ ରବିବାର ବ୍ୟତୀତ ସକାଳ ୬ ଟାରୁ ଅପରାହ୍ନ ୪ ଟା ଯାଏଁ କଟକଣା ମାନି ଦୋକାନ ଗୁଡିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।ଦୋକାନୀ ମାନେ ଗ୍ରାହକ ମାନଙ୍କୁ ସର୍କଲ ଭିତରେ ଠିଆ କରାଇ ସାମାଜିକ ଦୂରତା ରକ୍ଷା କରିବା , ମାସ୍କ ଓ ଗ୍ଲୋବସ ପିନ୍ଧିବା ସହ କୋଭିଡ ନୀତି ନିୟମକୁ ଅନୁପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ