ଜନଦାବିରେ ସିଭିଲ୍ ସୋସାଇଟି ପକ୍ଷରୁ ଦୁଇଟି ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) : ଉତ୍ତର ଓଡ଼ିଶାରେ ବିଦ୍ୟୁତ୍ ବିରତଣ ସଂସ୍ଥାର ବିଜୁଳି ଯୋଗାଣ ଓ ଗ୍ରାହକମାନଙ୍କୁ ଆର୍ଥିକ ଶୋଷଣ ପ୍ରଭୃତି ଅଭିଯୋଗ କରି ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅଭିଯୋଗଗୁଡ଼ିକ ସଂପର୍କରେ ସୋସାଇଟିର ପ୍ରତିନିଧି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ସଚଳ ବିଦ୍ୟୁତ୍ ମିଟରକୁ ବଦଳ କରିବା, ଘରେ ବ୍ୟବହୃତ ହେଉନଥିବା ବିଦ୍ୟୁତ୍ ଉପକରଣଗୁଡ଼ିକୁ ହିସାବ କରି ଜୋରିମାନା ଆଦାୟ ପ୍ରଭୃତିକୁ ବିରୋଧ କରି ଗ୍ରାହକମାନଙ୍କୁ ଓଡ଼ିଆଭାଷାରେ ବିଦ୍ୟୁତ୍ ବିଲ୍ ଦେବାକୁ ସୋସାଇଟି ପକ୍ଷରୁ ଦାବି କରାଯାଇଛି । ବିଦ୍ୟୁତ୍ ଗ୍ରାହକମାନଙ୍କ ସମସ୍ୟା ସମାଧାନ ନହେଲେ ସିଭିଲ୍ ସୋସାଇଟି ନେତୃତ୍ୱରେ ବିଦ୍ୟୁତ୍ ଗ୍ରାହକମାନେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବେ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି । ଦାବିପତ୍ର ଗ୍ରହଣ କରି ଏହିସବୁ ଅଭିଯୋଗ ଉପରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀ କର୍ତ୍ତୃପକ୍ଷ ଓ ସୋସାଇଟି ପ୍ରତିନିଧିମାନଙ୍କର ଏକ ମିଳିତ ବୈଠକ ତୁରନ୍ତ ଆହ୍ୱାନ କରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିôବା ସଂପର୍କରେ ସିଭିଲ୍ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି । ସୋସାଇଟି ପକ୍ଷରୁ ଅନ୍ୟ ଏକ ଦାବିପତ୍ର ବାଲେଶ୍ୱର ଉପଜିଲ୍ଲାପାଳ ତଥା ପୌର ପରିଷଦର କାଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବାଲେଶ୍ୱରର ପ୍ରଥମ ଉଡ଼ନ୍ତା ପୋଲ ମରମତି ପରେ ପୋଲତଳର ସୁରକ୍ଷା ପାଇଁ ସୋସାଇଟି ପକ୍ଷରୁ ଦାବି କରାଯାଇଛି । ରେଳଲାଇନ୍‌ର ଉଭୟ ପଟରେ ଥିବା ପୋଲତଳେ ବ୍ୟାୟାମ ପାଇଁ ଜିମ୍ ଓ ପାର୍କିଂ ସ୍ଥାନ ଭାବେ ଏବଂ ଅନ୍ୟସ୍ଥାନରେ ଘାସ କିମ୍ବା ଗୁଳ୍ମର ସବୁଜ ଅଞ୍ଚଳ ସୃଷ୍ଟି ପାଇଁ ଅନୁରୋଧ କରାଯାଇଛି । ସେହିପରି ସହରରେ ଥିବା ଡ୍ରେନ୍‌ରେ ମଶା ତେଲ କିମ୍ବା ଧୂଆଁ ପ୍ରୟୋଗ କରାଯାଉନଥିବାରୁ ମଶା ପ୍ରାଦୁର୍ଭାବ ବୃଦ୍ଧିପାଇଛି । ଏଣୁ ଏହାର ନିରାକରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଦାବିପତ୍ରରେ ଅନୁରୋଧ କରାଯାଇଛି ।ଜନସମସ୍ୟା ସମ୍ବଳିତ ଉଭୟ ଦାବିପତ୍ର ପ୍ରଦାନ ବେଳେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ କୁମାର ନାୟକ, ଉପଦେଷ୍ଠା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସମେତ ମଦନ ପଣ୍ଡା, ସୀତାରାମ ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ସେନାପତି, ସ୍ନେହଲତା ଦାସ, ଭରତ ଚନ୍ଦ୍ର ଲେଙ୍କା, ସଞ୍ଜିତ୍ କୁମାର ପତି, ମଦନମୋହନ ମିଶ୍ର, ଜୟନ୍ତ କୁମାର ପରିଡ଼ା, ବିଜୟ ବେହେରା, ଶରତ ଚନ୍ଦ୍ର ଦଳାଇ, ଶ୍ୟାମସୁନ୍ଦର ଜେନା ଓ ଯଶୋଦାନନ୍ଦନ ଆଶ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ