ଜନନେତା ପ୍ରହ୍ଲାଦ ମଲିକଙ୍କ ୯୪ତମ ଜୟନ୍ତୀରେ ମତପ୍ରକାଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଜନନେତା ପ୍ରହ୍ଲାଦ ମଲିକଙ୍କୁ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ନେତା ନୁହେଁ, ସାରା ଓଡ଼ିଶାର ନେତା ଥିଲେ ବୋଲି ଗୁରୁବାର ପ୍ରହ୍ଲାଦ ମଲିକଙ୍କ ୯୪ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ସେ ଏକଧାରାରେ ଜଣେ ପ୍ରବୀଣ ସଂଗଠକ, ସଚ୍ଚୋଟ ରାଜନେତା, ଦକ୍ଷତାସମ୍ପନ୍ନ ମନ୍ତ୍ରୀ ତଥା ନୀତିନିଷ୍ଠ ବ୍ୟକ୍ତି ଥିଲେ ବୋଲି ବିଭିନ୍ନ ବକ୍ତାମାନେ କହିଛନ୍ତି ।ପ୍ରହ୍ଲାଦ ମଲିକଙ୍କ୯୪ ଜୟନ୍ତୀ ଉତ୍ସବ ଗୁରୁବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ । ବିଶିଷ୍ଟ ପରିବେଶବିତ୍ ତଥା ଜନଆନ୍ଦୋଳନର ନେତା ଶ୍ରୀ ଲିଙ୍ଗରାଜ ଆଜାଦ ଏଥିରେ ଯୋଗଦେଇ ‘ଖଣିଜ ସମ୍ପଦ, ଶିଳ୍ପାୟନ ଓ ଓଡ଼ିଶାର ବିକାଶ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ଓ ସାମ୍ପ୍ରତିକ ଖଣିଭିତ୍ତିକ ଶିଳ୍ପନୀତି ଓ ଅତ୍ୟଧିକ ଦୋହନର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ; ଏଥିସହିତ ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥା ବନ୍ଦ ହୋଇଯାଇ ପ୍ରାୟ ୧୩ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି ବୋଲି ଉଲ୍ଲେଖ କରି ଏହିସବୁ ବନ୍ଦ ହୋଇଥିବା ଶିଳ୍ପ ଗୁଡ଼ିକର ପୁନରୁଦ୍ଧାର ଉପରେ ସରକାର ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ବର୍ଷୀୟାନ ନେତା ପଦ୍ମଚରଣ ନାୟକ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରହ୍ଲାଦ ମଲିକଙ୍କ ବହୁବିଧ ବ୍ୟକ୍ତିତ୍ୱ ଓ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।ସଭାର ପ୍ରାରମ୍ଭରେ ସାମାଜିକ ନ୍ୟାୟ ଆନ୍ଦୋଳନର ଅଗ୍ରଦୂତ ତଥା ପୂର୍ବତନ ସାଂସଦ ମୋହନ ଜେନାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଶିଶୁ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ “ପ୍ରହ୍ଲାଦ ମଲିକ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ହାଇସ୍କୁଲ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୁମାରୀ ମନୋଶ୍ରୀ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।ଏଥିରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଡ. ବସନ୍ତ କୁମାର ମଲ୍ଲିକ ବିବରଣୀ ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସଭାପତିତ୍ୱ କରିଥିବା ଏହି ସଭାରେ ଅଭିମନ୍ୟୁ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ