ଜନପ୍ରତିନିଧିଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଲେ ଜିଲ୍ଲାପାଳ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ଅନୁଷ୍ଠିତ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିରରେ ବନ୍ତ ସରପଞ୍ଚ ମାନସୀ ରାଉତ ଓ ସମିତି ସଭ୍ୟ ପରମେଶ୍ୱର ବାରିକ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅସୁବିଧା ସଂପର୍କରେ ଅଭିଯୋଗ କରିଥିଲେ । ଏଥିସହ ଜିଲାପାଳଙ୍କୁ ବାସ୍ତବ ଚିତ୍ର ଦେଖିବାକୁ ଅନୁରୋଧ କରିଥିଲେ । ଦୁଇ ଜନପ୍ରତିନିଧିଙ୍କ ଅନୁରୋଧକୁ ରକ୍ଷା କରି ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଦୁଇ ଜନପ୍ରତିନିଧିଙ୍କ ଅଭିଯୋଗକୁ ହୃଦୟଙ୍ଗମ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅସୁବିଧାକୁ ନିଜ ଆଖିରେ ଦେଖିବା ପରେ ଯଥାଶିଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ବେଳେ ବିଡିଓ ଶୁଭଦର୍ଶନ ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


