ଜନବସତିରେ ଗ୍ୟାସ ଗୋଦାମ ଘର ନିର୍ମାଣକୁ ବିରୋଧ: ଜିଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ କସିପଦା ସରପଞ୍ଚଙ୍କ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା ): ଜନବସତି ମଧ୍ୟରେ ରନ୍ଧନ ଗ୍ୟାସ ଗୋଦାମ ଗୃହ ନିର୍ମାଣକୁ ବିରୋଧ କରି କସିପଦା ପଞ୍ଚାୟତର ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅଭିଯୋଗ ଅନୁସାରେ ଜନସାଧାରଣଙ୍କୁ ରନ୍ଧନ ଗ୍ୟାସ ଯୋଗାଇବାକୁ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଚୟନ ହୋଇଥିଲେ । ତେବେ ସରକାରୀ ନିୟମ ଅନୁସାରେ ଗ୍ୟାସ ଗୋଦାମ ସ୍ଥାପନ ପାଇଁ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆପତ୍ତି ବିହୀନ ପ୍ରମାଣପତ୍ର (ଏନଓସି) ଆବଶ୍ୟକ ହୋଇଥାଏ । ମାତ୍ର କସିପଦାରେ ଗ୍ୟାସ ଗୋଦାମ ପ୍ରତିଷ୍ଠା ନେଇ ପଞ୍ଜୀକୃତ ଯୋଗାଣକାରୀ କୌଣସି ପ୍ରମାଣପତ୍ର ନେଇ ନଥିବା ଧାରଣାରତ ସରପଞ୍ଚ ଅନୀତା ବେହେରା ଅଭିଯୋଗ କରଛନ୍ତି । ତେବେ ଏନେଇ ସେ ପୂର୍ବରୁ ଜିଲାପାଳଙ୍କଠାରେ ଆପତ୍ତି କରି ପଞ୍ଚାୟତ ପ୍ରତିନିଧିଙ୍କ ସହ ଧାରଣାରେ ବି ବସିଥିଲେ । ମାତ୍ର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏବେ ଜନବସତି ଅଞ୍ଚଳରେ ଗୋଦାମ ଗୃହ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ିଥିବା ସରପଞ୍ଚ ଶ୍ରୀମତୀ ବେହେରା କହିଛନ୍ତି । ଗୋଦାମଠାରୁ ମାତ୍ର ୧୫ଫୁଟ ଦୂରରେ ଉଚ୍ଚକ୍ଷମତା ସମ୍ପନ୍ନ ୩୩ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବା ନେଇ ଆଶଙ୍କା ଦେଖାଯାଇଛି । ତୁରନ୍ତ ଏହାକୁ ଅନ୍ୟତ୍ର ଫାଙ୍କା ଜାଗାକୁ ସ୍ଥାନାନ୍ତର ପାଇଁ ସରପଞ୍ଚଙ୍କ ସମେତ ୱାର୍ଡ଼ସଭ୍ୟ ସଭ୍ୟା ଓ ଗ୍ରାମବାସୀମାନେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏମିତି ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ