ଜନବସତି ସ୍ଥାନରୁ ଟାୱାର ଉଠିବ, ବରିଷ୍ଠ ନାଗରିକଙ୍କ ଦାବି ପୂରଣ ହେଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀଲିଙ୍ଗରାଜ ଥାନା ଅଧିନ ଗୋସାଗରେଶ୍ୱର ନିକଟ ବ୍ୟାଙ୍କ କଲୋନୀରେ ଟାୱାର ବସାଇବାକୁ ବିରୋଧ କରିଥିଲେ ବରିଷ୍ଠ ନାଗରିକ । ଏଥିରେ ମୁଣ୍ଡ ନୁଆଇଲା କମ୍ପାନୀ, ବିଜୟ ହେଲେ ବରିଷ୍ଠ ନାଗରିକ । ପ୍ରକାଶ ଥାଉକି, କଲୋନୀରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ମୋବାଇଲ୍ ଟାୱାର ବସାଇବାକୁ ନେଇ ଜଣେ ବ୍ୟକ୍ତି ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକଙ୍କ ବାରଣ ପରେ ମଧ୍ୟ ସେ ଟାୱାର ସ୍ଥାପନା କରିଥିଲେ । ଏହାକୁ ବିରୋଧ କରି ସ୍ଥାନୀୟ ମା’ ମାଙ୍ଗଳା ସମାଜ କଲ୍ୟାଣ ପରିଷଦର ସଭାପତି ଦୁର୍ଗା ଚରଣ ଦାଶ, ସମ୍ପାଦକ ଅରୁଣ କୁମାର ରଥ, କୋଷାଧ୍ୟକ୍ଷ ବିଦ୍ୟାଧର ନାୟକ, ମଧୁସୂଦନ ରାଉତ, ଗଗନ ବିହାରୀ ସାମନ୍ତରାୟ, ଜମୁଦଣି ବେହେରା, ଅକ୍ଷୟ କୁମାର ସାହୁ, ବାବାଜି ସାହୁ ଆଦି ବରିଷ୍ଠ ନାଗରିକ ବିଏମ୍ସି ନିକଟରେ ଅଭିଯୋଗ କରିଥିଲେ । ଏହି ଟାୱାର ନଉଠିଲେ ଧାରଣା ଦେବେ ବୋଲି ବରିଷ୍ଠ ନାଗରିକମାନେ ଚେତାବନୀ ଦେଇଥିଲେ । ତେବେ ବିଏମ୍ସି କମିସନର ଏହି ଟାୱାର ଉଠାଇବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦେଶ ଦେଇଛନ୍ତି । ମାସେ ମଧ୍ୟରେ ଟାୱାର ନଉଠିଲେ ବିଏମ୍ସି ନିଜେ ବାହାର କରିଦେବ ବୋଲି ଚେତାବନୀ ଦେଇଛନ୍ତି । ଏଥି ପାଇଁ ବରିଷ୍ଠ ନାଗରିକମାନେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍ସି କମିସନର ସଞ୍ଜୟ ସିଂ, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସଭାପତି, ଦୁର୍ଗା ଚରଣ ଦାଶ