ଜନଶକ୍ତି ପାର୍ଟି ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜନଶକ୍ତି ପାର୍ଟି ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଦରକୁ ହ୍ରାସ କରାଯିବା ପାଇଁ ଦାବି କରାଯାଇଛି । ଏଥିସହିତ ସାଧାରଣଜନତା ବ୍ୟବହାର କରୁଥିବା ଜାଳେଣୀ ଗ୍ୟାସ(ଏଲ.ପି.ଜି.)ର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଥିବାରୁ ଏହାକୁ ହ୍ରାସ କରାଯିବା ପାଇଁ ଦାବି କରାଯାଇଛି । ଏହାଛଡା ବର୍ତ୍ତମାନ ପ୍ରଚଳିତ ହୋଇଥିବା ମଟରଯାନ ଆଇନକୁ ମଧ୍ୟ ପରିବର୍ତ୍ତନ କରାଯିବାକୁ ଦାବି କରାଯାଇଛି । କାରଣ ଏହି ନୂତନ ଆଇନ ଫଳରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦରଖାସ୍ତ କରିଥିବା ଜଣେ ଦରଖାସ୍ତକାରୀକୁ ପ୍ରାକଟିକାଲ ପରୀକ୍ଷା ଦେବାକୁ ଯାଇ ବହୁବାର ଫେରିବାକୁ ପଡୁଛି । ଏସବୁ ଦାବିଗୁଡିକ ସମ୍ପର୍କରେ ବିଚାର କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ସେକ ଅମିରୁଦ୍ଦିନ, ସେକ ଆସିକୁଦ୍ଦିନ, ବୀବେକ ନାୟକ, ବସନ୍ତ ଦାସ, ରମେଶ ଥାଟୋଇ, ପ୍ରଫୁଲ୍ଲ ଦାସ, କୈଳାସ ମଲିକ, ସୁବାଷ ରାଉତ, ଦୁଷ୍ମନ୍ତ ଦାସ, କ୍ଷେତ୍ରବାସୀ ସାହୁ ଓ ପରମାନନ୍ଦ ସ୍ୱାଇଁ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।


