ଜନସମସ୍ୟା ସମାଧାନରେ ପ୍ରାଶାନିକ ଉଦାସୀନତା ଅଭିଯୋଗ: ‘ବାଲେଶ୍ୱର ସିଭିଲ ସୋସାଇଟି’ର ଆନ୍ଦୋଳନ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସିଭିଲ ସୋସାଇଟିର ଏକ ବୈଠକ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ମଞ୍ଚ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସହର ସମେତ ଜିଲାରେ ଦୈନନ୍ଦିନ ଜୀବନରେ ଜନସାଧାରଣ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷ କରି ସହରର ବିପର୍ଯ୍ୟସ୍ଥ ନିଷ୍କାସନ ବ୍ୟବସ୍ଥାକୁ ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଗତ ୧୦ ତାରିଖ ଅପରାହ୍ନରେ ହୋଇଥିବା ବର୍ଷାରେ ଜଳ ନିଷ୍କାସନ ହୋଇ ନ ପାରି ସହରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଏହି ବର୍ଷାରେ ତଳିଆ ଅଞ୍ଚଳର ଲୋକଙ୍କ ଘରେ ଓ ସହରର ଅନେକ ଦୋକାନରେ ବର୍ଷର୍ାଜଳ ପ୍ରବେଶ କରି ଲକ୍ଷଲକ୍ଷ ଟଙ୍କାର କ୍ଷତି ହୋଇଥିବା ବୈଠକରେ ଉପସ୍ଥିତ ସଦସ୍ୟମାନେ କହିଥିଲେ । ସେହିପରି ଅମୃତ ଯୋଜନାରେ ବାଲେଶ୍ୱର ସହରରେ କୋଟି କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ଅଦ୍ୟାବଧି କାର୍ଯ୍ୟକାରୀ ନହେବା, ସହର ରାସ୍ତା ପାଶ୍ୱର୍ରେ କୁଢ଼କୁଢ଼ ଆବର୍ଜନା ପଡ଼ିରହିବା, ଶାଖାନାଳ ପରିଷ୍କାର କରା ନଯିବା ଆଦି କାର୍ଯ୍ୟରେ ପୌରପାଳିକାର ଅବହେଳା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସେହିଭଳି ବାଲେଶ୍ୱରର ଜୀବନରେଖା ହୋଇଥିବା ରାଜ୍ୟର ପ୍ରଥମ ଉଡ଼ାନ୍ତା ପୋଲ ମରାମତି ପାଇଁ ସିଭିଲ ସୋସାଇଟି ସମେତ ଅନ୍ୟାନ୍ୟ ବହୁ ଗଣ ସଂଗଠନର ଦାବି ଓ ଆନ୍ଦୋଳନ ପରେ ଅନୁଦାନ ମଞ୍ଜୁର ହୋଇଥିଲା । ମାତ୍ର ଜିଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଅସହଯୋଗରୁ ଠିକାଦାରୀ ସଂସ୍ଥା ପକ୍ଷରୁ ନିମ୍ନମାନର ମରାମତି କାର୍ଯ୍ୟ ହେଉଥିବା ସୋସାଇଟିର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ପୋଲ ଉପରେ ଅନେକ ସ୍ଥାନରେ ବଡ଼ବଡ଼ ଗାତ ସୃଷ୍ଟି ହୋଇ ଯାନବାହନ ଚଳାଚଳରେ ବ୍ୟାଘାତ ଓ ଛୋଟବଡ଼ ଦୁର୍ଘଟଣା ଘଟୁଛି । କେତେବେଳେ ଯେ ଏହି ପୋଲ ଭୂଷୁଡ଼ିପଡ଼ିବ ଓ କେତେ ଧନଜୀବନ କ୍ଷତି ଘଟିବ ଏହି ଆଶଙ୍କା ନେଇ ସୋସାଇଟି ତରଫରୁ ଉଦବେଗ ପ୍ରକାଶ ପାଉଛି । ଅନ୍ୟପକ୍ଷରେ ବାଲେଶ୍ୱର ରେଳ ଡିଭିଜନ୍ ପ୍ରତିଷ୍ଠା କରିବା ଓ ଷ୍ଟେସନର ପଶ୍ଚିମ ପାଶ୍ୱର୍କୁ ଯାତ୍ରୀବାହୀ ରେଳର ପ୍ଲାଟଫର୍ମ ସମ୍ପ୍ରସାରଣ ପାଇଁ ଦୀର୍ଘଦିନ ଧରି ହେଉଥିବା ଦାବି ଏବେ ବି ଅସମାହିତ ରହିଛି । ଏନେଇ ସୋସାଇଟି ପକ୍ଷରୁ ଜନସମର୍ଥନ ସହ ଆନ୍ଦୋଳନକୁ ଓହ୍ଲାଇବାକୁ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ବୈଠକରେ ସଂଗଠନ ଉପ-ସଭାପତି ବସନ୍ତ ସ, ସଂପାଦକ ମନୋଜ ନାୟକଙ୍କ ସମେତ ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ସୁଦର୍ଶନ ଦାସ, ପରମାନନ୍ଦ ପଣ୍ଡା ଓ ସଂଜୀତ କୁମାର ପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।