ଜନସ୍ୱାସ୍ଥ୍ୟ ବିଭାଗର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଯୋଗୁଁ ରାସ୍ତା କଡ ବିପଦପୂର୍ଣ୍ଣ ପାଲଟିଅଛି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲୁରହିଥିବା କାମ ଗୁଡିକ ଅଧପନ୍ତରିଆ ଭାବେ ଛାଡି ଦେଉଥିବାରୁ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେବା ସହ ସାଧାରଣଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇଛି । ସହରରେ ପାନୀୟ ଜଳ ଯୋଗାଣ ନିମନ୍ତେ ନୂତନ ପାଇପ ଲାଇନ ବିଛା ଯାଉଛି । ଏଥି ଲାଗି ରାସ୍ତା ଉପରେ ଗର୍ତ୍ତ କରି ନୂତନ ଲାଇନ ଦେବା ପ୍ରକ୍ରିୟା ଚାଲିଛି । କିନ୍ତୁ ଏହି କାମ ଗୁଡିକୁ ଅଧପନ୍ତରିଆ ଭାବେ ବହୁ ଦିନ ଧରି ପକାଇ ଦେଉଛନ୍ତି । ଫଳରେ ଯାତାୟତରେ ବହୁ ସମସ୍ୟା ଦେଖାଯାଉଛି । ମୁଖ୍ୟ ପାଇପ ଲାଇନ ଗୁଡିକରୁ ସାହି ଗୁଡିକରେ ଥିବା ପାଇପ ଲାଇନକୁ ସଂଯୋଗିକରଣ କରାଯାଉଛି । ଏଥିଲାଗି ଗର୍ତ୍ତ ଗୁଡିକୁ ପ୍ରାୟ ୪ରୁ୫ ଫୁଟ ପର୍ଯ୍ୟନ୍ତ ଖୋଳାଯାଇଛି । ହେଲେ ମାସ ମାସ ଧରି କାମ ହେଉନି । ଫଳରେ ଉକ୍ତ ଗର୍ତ୍ତ ଗୁଡିକ ଯୋଗୁଁ ପଥଚାରୀଙ୍କ ସମେତ ଯାନବାହାନ ଯାତାୟତରେ ନାନାଦି ସମସ୍ୟା ଦେଖା ଦେବା ସହ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ବିଶେଷ କରି ରାତ୍ର ସମୟରେ ଏହି ସମସ୍ୟା ଦ୍ୱିଗୁଣିତ କରୁଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏପରି ଏକ ଗର୍ତ୍ତ ସହରର ସ୍ଥାନୀୟ ଶ୍ରୀକରଣ ସାହି ଛକ ଠାରେ ଖୋଳାଯାଇ ଅଧପନ୍ତରିଆରେ ଛାଡିଦେଇଥିବାରୁ ଲୋକେ ଯାତାୟତ କରିବାରେ ଅସୁବିଧା ହେଉଥିବାର ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବର୍ଷା ହେଉଥିବା ଫଳରେ ଏହି ଗର୍ତ୍ତ ଗୁଡିକରେ ପାଣି ଜମି ଯାଇ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ