“ଜନୌଷଧି ସୁଗମ” ମୋବାଇଲ ଆପ୍ର ଶୁଭାରମ୍ଭ

ମୋବାଇଲ

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍ର ଶୁଭାରମ୍ଭ କରିଛନ୍ତି । ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ ବୋଲି ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ । ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ବିଷୟରେ ଘୋଷଣା କରି ଗୌଡ଼ା କହିଥିଲେ ଯେ ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଥିଲେ । ଯାହା ଏବେ ପୂରଣ ହୋଇଛି । ସେ କହିଥିଲେ ଯେ “ଜନୌଷଧି ସୁଗମ” ଆପ ମାଧ୍ୟମରେ ଲୋକମାନେ ଜୈବିକ ଔଷଧ ଏବଂ ଜନୌଷଧି କେନ୍ଦ୍ର ସମ୍ପର୍କରେ ସୂଚନା ପାଇବାରେ ସଫଳ ହେବେ । ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମାଣ୍ଡବ୍ୟ କହିଥିଲେ ଯେ ଭଲ ସାନିଟାରୀ ନାପକିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି । କାରଣ ନାପକିନ ପ୍ୟାଡ ସେମାନଙ୍କୁ ଉଚିତ ଦାମରେ ମିଳିନଥାଏ । ସେ କହିଥିଲେ ଯେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ନେଟୱାର୍କ ଜରିଆରେ ସମସ୍ତ କିଶୋରୀମାନଙ୍କୁ ଶସ୍ତା ଦରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ । ଏହି ପଦକ୍ଷେପ ଦ୍ୱାରା ଗରିବଙ୍କ ଔଷଧ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।\nଭାରତ ସରକାର ୪ ଜୁନ, ୨୦୧୮ରେ ବିଶ୍ୱ ପରିବେଶ ଦିବସର ପୂର୍ବ ସନ୍ଧ୍ୟାରେ ପ୍ୟାଡ ପିଛା ଅଢ଼େଇ ଟଙ୍କା ଦରରେ ‘ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନ୍ୟାପକିନ’ ଯୋଗାଣ ଯୋଜନାର ଶୁଭାରମ୍ଭ କରିଥିଳେ । ଜନୌଷଧି ସୁବିଧା ନାପକିନର ବିଶେଷତ୍ୱ ହେଉଛି ଯେ ଏହା ବ୍ୟବହାର ପରେ ଅକ୍ସିଜେନର ସଂସ୍ପର୍ଶରେ ଆସିବା କ୍ଷଣି ଜୈବିକ ପ୍ରକ୍ରିୟାରେ ନଷ୍ଟ ହୋଇଯାଇଥାଏ । ୩୧, ଜୁଲାଇ ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଜରିଆରେ ୧.୩୦ କୋଟିରୁ ଅଧିକ ପ୍ୟାଡ ବିକ୍ରି ହୋଇସାରିଛି । ଦେଶର ମହିଳାମାନଙ୍କୁ ଆହୁରି ଶସ୍ତା ଦରରେ ସାନିଟାରୀ ପ୍ୟାଡ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସରକାର ପ୍ରତି ପ୍ୟାଡ ମାତ୍ର ୧ ଟଙ୍କାରେ ବିକ୍ରି କରିବା ଲାଗି ନିଷ୍ପତି ନେଇଛନ୍ତି । ଲୋକସଭା ନିର୍ବାଚନ-୨୦୧୯ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଇଥିବା ଏହି ପ୍ରତିଶ୍ରୁତିକୁ ଏବେ ପୂରଣ କରାଯିବ । ବଜାରରେ ସାନିଟାରୀ ପ୍ୟାଡ ଶସ୍ତା ଦରରେ ଉପଲବ୍ଧ ହେବା ଫଳରେ ଦେଶର ବହୁ ସଂଖ୍ୟକ ମହିଳା ଋତୁସ୍ରାବ ସମୟରେ ନିଜର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିପାରିବେ । ଏହାଦ୍ୱାରା ଦେଶର ଗରିବ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସୁବିଧା ସୁନିଶ୍ଚିତ ହୋଇପାରିବ । ଏହି ପଦକ୍ଷେପ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ‘ସ୍ୱଚ୍ଛ ଭାରତ, ସବୁଜ ଭାରତ’ ମଧ୍ୟ ପୂରଣ ହୋଇପାରିବ । କାରଣ ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ପରିବେଶ ଅନୁକୂଳ ଅଟେ । ଏହି ନାପକିନ ସାରା ଦେଶର ୫୫୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ମିଳିବ । ‘ଜନ ଔଷଧି ସୁଗମ’ ମୋବାଇଲ ଆପ ନିକଟସ୍ଥ ଜନୌଷଧି କେନ୍ଦ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ଗୁଗଲ ମ୍ୟାପର ଉପଯୋଗ କରି ପ୍ରଦାନ କରିବ । ଏହାଛଡ଼ା ଜୈବିକ ଔଷଧ, ଔଷଧର ମୂଲ୍ୟ, ଜୈବିକ ଏବଂ ବ୍ରାଣ୍ଡେଡ ଔଷଧର ତୁଳନା, ଖର୍ଚ୍ଚରେ ହେଉଥିବା ସଂଚୟ ବିଷୟରେ ସୂଚନା ମଧ୍ୟ ଏଥିରୁ ମିଳିପାରିବ । ଏହି ମୋବାଇଲ ଆପ୍ଲିକେସନ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ । ଏହାକୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ