ଜନ୍ମଦିନରେ ତୃଷାର୍ତ୍ତ ପକ୍ଷୀଙ୍କ ଲାଗି ଗଛରେ ବାନ୍ଧିଲେ ପାଣିପାତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଜ ଜନ୍ମଦିନକୁ ସ୍ମରଣୀୟ ରଖିବା ପାଇଁ କେହି କେହି ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ପଞ୍ଚତାରକା ହୋଟେଲ ଇତ୍ୟାଦି ଗୁଡ଼ିକରେ ବେଶ୍ ଜାକଜମକରେ ପାଳନ କରୁଥିବା ବେଳେ ଆଉ କେହି କେହି ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍‌ବୃଦ୍ଧ ହୋଇ ଏ ଦେଶ, ଜାତି ଓ ସମାଜ ପାଇଁ କିଛି ଭଲ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଏଭଳି ଜନ୍ମଦିନ ପାଳନର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ସ୍ମାର୍ଟନଗରୀ ଭୁବନେଶ୍ୱରର ଫରେଷ୍ଟ ପାର୍କ ଭିତରେ । ସୂଚନାଯୋଗ୍ୟ, ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ସନ୍ତୋଷୀ ଜୈନଙ୍କ ଆଜିଥିଲା ଜନ୍ମଦିନ । ଆଜିର ଏହି ଶୁଭ ଜନ୍ମ ତିଥି ଅବସରରେ ସକାଳୁ ସକାଳୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ସାରି ସେ ବାହାରି ଯାଇଥିଲେ ଫରେଷ୍ଟ ପାର୍କକୁ । ହାତରେ ଥିଲା ଚାଉଳ, ଗହମ, ଖୁଦ ଓ ପାଣି ପାତ୍ର । ଏସବୁ ତୃଷାର୍ତ୍ତ ଓ କ୍ଷୁଧାର୍ତ୍ତ ପକ୍ଷୀ ଓ ଜୀବଜନ୍ତୁଙ୍କ ଲାଗି ରହିଥିଲା । ପ୍ରାତଃ ଭ୍ରମଣରେ ଆସୁଥିବା ନିଜର ଶୁଭେଚ୍ଛୁ, ସାଙ୍ଗ, ସାଥୀମାନଙ୍କୁ ଏକାଠି କରି ଗୋଟିଏ ଗୋଟିଏ ପାଣି ପାତ୍ର ଓ କିଛି ଖାଦ୍ୟ ବଢ଼ାଇ ଦେଇଥିଲେ । ଶୁଭେଚ୍ଛୁମାନେ ସନ୍ତୋଷୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆଗ୍ରହର ସହ ସମସ୍ତେ ଗଛ ଗୁଡ଼ିକରେ ପାଣି ପାତ୍ର ଓ ଖାଦ୍ୟ ପାତ୍ର ବାନ୍ଧିଥିଲେ । ଏଭଳି ସ୍ମରଣୀୟ ଦିବସରେ ଆମେମାନେ କିଛି ଭଲ କାମ କରିବା ଉଚିତ୍ । ସଂପ୍ରତି ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ତୃଷାର୍ତ୍ତ ଓ କ୍ଷୁଧାର୍ତ୍ତ ପକ୍ଷୀ ଓ ଜୀବଜନ୍ତୁଙ୍କ ଲାଗି ଏଭଳି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ଶ୍ରୀମତୀ ଜୈନ କହିଥିଲେ । ଜନ୍ମଦିନରେ ସନ୍ତୋଷୀଙ୍କ ଏହା ଛୋଟ ଉଦ୍ୟମ ହେଲେ ବି ଅନ୍ୟମାନଙ୍କ ପାଇଁ ଏକ ବଡ଼ ଉଦାହରଣ ବୋଲି ଶୁଭେଚ୍ଛୁମାନେ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ