ଜନ୍ସନ୍ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ
ଲଣ୍ଡନ : ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ବୋରିସ୍ ଜନ୍ସନ୍ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ କନ୍ଜର୍ଭେଟିଭ୍ ପାର୍ଟି ବିଜୟୀ ହେବା ଫଳରେ ବୋରିସ୍ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନ ଦଖଲ କରିଛନ୍ତି। ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କୁ ବଧେଇ ଜଣାଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ ଜବରଦସ୍ତ ବିଜୟ ସହ ପ୍ରଧାନମନ୍ତ୍ରୀ ପଦକୁ ଫେରିଥିବା ଜନ୍ସନ୍ଙ୍କ ସହ ଭାରତ ପୂର୍ବ ସମ୍ପର୍କ ଜାରି ରଖିବ ଓ ବ୍ରିଟେନ୍ ମଧ୍ୟ ସକାରାତ୍ମକ ଆଚରଣ ଜାରି ରଖିବ। ଉଭୟ ଦେଶ ମଧ୍ୟରେ ସମ୍ପର୍କ ନୂଆ ଇତିହାସ ସୃଷ୍ଟି ହୋଇପାରିବ ବୋଲି ମୋଦି ଆଶା ପ୍ରକଟ କରିଛନ୍ତି। ସେହିପରି ଟ୍ରମ୍ପ୍ କହିଛନ୍ତି ଯେ ଜନ୍ସନ୍ କ୍ଷମତା ପୁନର୍ବାର ବଜାୟ ରଖିବା ଫଳରେ ବ୍ରିଟେନ୍ ୟୁରୋପିଆନ୍ ୟୁନିଅନ୍ରୁ ଓହରିଯିବା ପରେ ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି କହିଛନ୍ତି। ଶୁକ୍ରବାର ଜନ୍ସନ୍ ପୁନର୍ବାର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବ୍ରିଟେନ୍ ୟୁରୋପିଆନ୍ ୟୁନିଅନ୍ରୁ ଓହରିଯିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ଏହା ବ୍ରିଟେନ୍ରେ ତୃତୀୟ ସାଧାରଣ ନିର୍ବାଚନ ଏବଂ ଗତ ୨୦୧୬ ଜୁନ୍ ପରେ ଦ୍ବିତୀୟ ନିର୍ବାଚନ। ଗତ ୩୧ ଅକ୍ଟୋବର ସୁଦ୍ଧା ବ୍ରିଟେନ୍ ୟୁରୋପିଆନ୍ ୟୁନିଅନ୍ରୁ ଓହରିଯିବା ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ପାରିବା ଫଳରେ ଡିସେମ୍ବର ୧୨ରେ ସାଧାରଣ ନିର୍ବାଚନ ହେବା ସକାଶେ ନିଷ୍ପତ୍ତି ହୋଇଥିଲା। ପ୍ରଧାନମନ୍ତ୍ରୀ ଜନ୍ସନ୍ ନିଜ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ପରାଜୟ ବରଣ କରିବା ପରେ ଜନ୍ସନ୍ଙ୍କ ବିପକ୍ଷ ଦଳ ଲେବର୍ ପାର୍ଟିର ମୁଖ୍ୟ ଜେରେମି କାର୍ବିନ୍ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି। ସେ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି ଓ ଏପରି ଫଳାଫଳ ଲେବର୍ ପାର୍ଟି ପାଇଁ ସବୁଠାରୁ ନୈରାଶ୍ୟଜନକ ବୋଲି ସେ କହିଛନ୍ତି।