ଜବାହର ନବୋଦୟ ବିଦ୍ୟାଳୟରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତରଣ

ନୂଆଦିଲ୍ଲୀ : ଦେଶର ୧୭୩ଟି ଜବାହର ନବୋଦୟ ବିଦ୍ୟାଳୟଗୁଡିକରେ ଲକଡାଉନ ଯୋଗୁଁ ଫସି ରହିଥିବା ୩୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଗତ ୧୫ ତାରିଖ ଦିନ ସ୍ଥାନାନ୍ତର କରାଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ସୂଚନା ଦେଇଛନ୍ତି । ସହଶିକ୍ଷା ଆବାସିକ ବିଦ୍ୟାଳୟ ଭାବେ କାର‌୍ୟ୍ୟ କରୁଥିବା ନବୋଦୟ ବିଦ୍ୟାଳୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ସ୍ଵୟଂ ଶାସିତ ସଂଗଠନ ନବୋଦୟ ସମିତି ଦ୍ଵାରା ପରିଚାଳିତ ହୋଇଥାଏ । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଆଧୁନିକ ଶିକ୍ଷା ପ୍ରଦାନ ସହ ପରିବେଶ ସଚେତନତା, ସଂସ୍କୃତି, ଦୁଃସାହସିକ କାର‌୍ୟ୍ୟକଳାପ ଓ ଶାରୀରିକ ଶିକ୍ଷା ପ୍ରଦାନ ଭଳି କାର‌୍ୟ୍ୟ ନବୋଦୟ ବିଦ୍ୟାଳୟର ଆଦର୍ଶ ରହିଆସିଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୬୬୧ଟି ମଞ୍ଜୁରିପ୍ରାପ୍ତ ମବୋଦୟ ବିଦ୍ୟାଳୟ ରହିଥିବା ବେଳେ ମାଗଣାରେ ୨.୬୦ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଲାଭ କରିପାରୁଛନ୍ତି । ନବୋଦୟ ବିଦ୍ୟାଳୟ ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷି ଅଞ୍ଚଳରେ ଥିବା ନବୋଦୟ ବିଦ୍ୟାଳୟରୁ ଅନ୍ୟ ଭାଷାଭାଷି ଅଞ୍ଚଳରେ ଥିବା ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ ଯାହାକି ଦେଶର ଏକତା ମଧ୍ୟରେ ବିବିଧତାର ମୌଳିକ ଲକ୍ଷକୁ ସାକାର କରିଥାଏ । ଅନେକ ଦିନରୁ ଚାଲି ଆସିଥିବା ଏହି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ବା ମାଇଗ୍ରେସନ ଯୋଜନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ସଂହତିର ପ୍ରେରଣା ଉଦ୍ରେକ କରାଇବାରେ ସହାୟକ ହୋଇଥାଏ । କୋଭିଡ-୧୯କୁ ଦୃଷ୍ଟିରେ ରଖି ନବୋଦୟ ବିଦ୍ୟାଳୟ ସମିତି ଏଥର ଏହାର ଖରା ଛୁଟି ଆଗୁଆ ୨୧ ମାର୍ଚ୍ଚ ଠାରୁ ଘୋଷଣା କରାଯାଇଥିଲା । ଜବାହର ନବୋଦୟ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟର ଜିଲ୍ଲା ପରିସୀମା ମଧ୍ୟରେ ରହୁଥିବାରୁ ଲକଡାଉନ ପରେ ପରେ ସେମାନେ ନିଜ ଘରକୁ ପଳାଇ ଯାଇଥିଲେ । ମାତ୍ର ୧୭୩ଟି ଜବାହର ନବୋଦୟ ବିଦ୍ୟାଳୟର ମାଇଗ୍ରେସନ ଯୋଜନାରେ ଅଧ୍ୟୟନରତ ୩୧୬୯ ବାହାରର ଛାତ୍ରଛାତ୍ରୀ ଏବଂ ଉତ୍କର୍ଷ କେନ୍ଦ୍ର ପୁଣେରେ ଜେଇ ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ୧୨ଜଣ ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ଯାଇପାରିନଥିଲେ । ଲକଡାଉନର ଅବଧି ବଢିବା ଯୋଗୁଁ ଅଧିକାଂଶ ୧୩-୧୫ ବର୍ଷ ମଧ୍ୟର ଛାତ୍ରଛାତ୍ରୀ ଦୀର୍ଘ ୬ ମାସ ଘରକୁ ଯାଇନଥିବାରୁ ଖୁବ ଅସହାୟ ବୋଧ କରୁଥିଲେ ।
ଏସବୁକୁ ଦୃଷ୍ଟିରେ ରଖି ବିଦ୍ୟାର୍ଥୀମାନେ ଯେପରି ଖୁବ ଶୀଘ୍ର ସେମାନଙ୍କ ଘରକୁ ପହଞ୍ଚିପାରିବେ ତାହାର ବ୍ୟବସ୍ଥା କରିଥିଲେ । ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସହ ଅନେକ ଥର ଆଲୋଚନା ତଥା ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଆବଶ୍ୟକ ଅନୁମତି ନେଇ ସମିତି ଲକଡାଉନ କାଳରେ ସ୍ଵତନ୍ତ୍ର ବସ ଯୋଗେ ସେମାନଙ୍କୁ ସ୍ଥାନାନ୍ତର କରାଇଥିଲା । ଛାତ୍ରଛାତ୍ରୀମାନଙ୍କର ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଗତ ୯ ତାରିଖ ଦିନ ଚାଲିଥିବା ସତ୍ତ୍ୱେ ସବୁଆଡେ ଶେଷ ବିଦ୍ୟାର୍ଥୀ ପହଞ୍ଚିବା ପରେ ଗତ ୧୫ ତାରିଖ ଦିନ ଏହାର ଅନ୍ତ ଘଟିଥିଲା । ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଏହି କାର‌୍ୟ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ଯାନବାହାନଗୁଡିକର ବିଶୋଧିକରଣ ସହ ମାସ୍କ ଓ ସାନିଟାଇଜର, ଖାଦ୍ୟ ପଦାର୍ଥ ଛାତ୍ରଛାତ୍ରୀ ଓ ସେମାନଙ୍କୁ ଘରେ ପହଞ୍ଚାଇବା ଲାଗି ନେଉଥିବା ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିଲା । ସଂପୂର୍ଣ୍ଣ ଯାତ୍ରା କାଳରେ ବାହାରୁ ପିଲାମାନଙ୍କୁ ଖାଦ୍ୟ ପଦାର୍ଥ ନ ଦିଆଯାଇଥିବା ବେଳେ ଯାତ୍ରା ଆରମ୍ଭ ଓ ଯାତ୍ରା ଶେଷରେ ଜିଲ୍ଲା ପ୍ରଶାସନ ସହାୟତରେ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସର୍ବାଧିକ ଦୂରତ୍ଵ ହରିୟାଣାର କର୍ଣ୍ଣାଲ ନବୋଦୟ ବିଦ୍ୟାଳୟ ଏବଂ କେରଳର ତିରୁବନନ୍ଥପୁରମ ନବୋଦୟ ବିଦ୍ୟାଳୟ ଥିଲା । ପ୍ରାୟ ୩୦୬୦ କିଲୋମିଟର ଦୂରତ୍ଵ ଅତିକ୍ରମ କରିବାକୁ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ୭ଟି ରାଜ୍ୟ ଭିତର ଦେଇ ଯିବାକୁ ପଡିଥିଲା । ସବୁଠାରୁ କମ ଦୂରତ୍ଵ ପ୍ରାୟ ୪୨୦ କିଲୋମିଟର ଓଡିଶାର ବଲାଙ୍ଗିର ନବୋଦୟ ବିଦ୍ୟାଳୟ ଓ ମଧ୍ୟପ୍ରଦେଶର ଅନୁପପୁର ମଧ୍ୟରେ ଥିଲା । ଉତ୍ତରାଖଣ୍ଡର ନୈନିତାଲ ଜବାହର ନବୋଦୟ ବିଦ୍ୟାଳୟର ବିଦ୍ୟାର୍ଥୀମାନେ କେରଳର ୱାଇନାଡଠାରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଦେଇ ପହଞ୍ଚିଥିଲେ । ସେହିଭଳି ମଣିପୁରର ସେନାପତି ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାଗାଲାଣ୍ଡ, ଆସାମର ଦୁର୍ଗମ ଗିରିପଥ ତଥା ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶ ହୋଇ ମଧ୍ୟପ୍ରଦେଶର ଝାବୁଆଠାରେ ପହଞ୍ଚିଥିଲେ । ଉତ୍ତରପ୍ରଦେଶର ଆମେଥି ଠାରୁ କେରଳର ଆଲେପି ଠାରେ ପହଞ୍ଚିବାକୁ ସବୁଠାରୁ ଅଧିକ ସମୟ ପ୍ରାୟ ୫ ଦିନ ଲାଗିଥିବା ବେଳେ ବଲାଙ୍ଗୀରରୁ ଅନୁପପୁର ସବୁଠାରୁ କମ ୯.୩୦ ଘଣ୍ଟା ଲାଗିଥିଲା । ଛାତ୍ରଛାତ୍ରୀମାନଙ୍କ ଗତିବିଧି ଉପରେ ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ତୀକ୍ଷଣ ନଜର ରଖାଯାଉଥିଲା । ୧୭୩ଟି ବିଦ୍ୟାଳୟର ସମସ୍ତ ୩୧୬୯ ବିଦ୍ୟାର୍ଥୀ ବିନା ବାଧାବିଘ୍ନରେ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିଥିଲେ । ନବୋଦୟ ବିଦ୍ୟାଳୟ ସମିତିର ଶ୍ରୁଙ୍ଖଳିତ ଅଧିକାରୀ ଓ ଜିଲ୍ଲା ଅଧିକାରୀଙ୍କ ସହଯୋଗ ଯୋଗୁଁ ଏହା ସୁଚାରୁରୂପେ ସମ୍ପାଦିତ ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ