ଜମନକିରା ପୋଲିସର ବଡ଼ ସଫଳତା
ଜମନକିରା, (ଲିପନ ନାଏକ ) : ଜମନକିରା ଥାନା ଅଞ୍ଚଳରେ ବହୁ ସଂଖ୍ୟକ କୃଷି ଯନ୍ତ୍ର ଚୋରି କରିଥିବା ଏକ ବଡ ରାକେଟ ର ଆଜି ପର୍ଦାଫାସ ହୋଇଛି। ଏଥିରେ ସଂପୃକ୍ତ ଥିବା ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିରେ ଆହୁରି ଅଧିକ ସଂଖ୍ୟକ କୃଷି ଯନ୍ତ୍ର ଚୋରି ହୋଇଥିବା ନେଇ ପୋଲିସ ଆଶଂକା ପ୍ରକାଶ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ଦରକାର ପଡିଲେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଏହି ରାକେଟର ମୁଖ୍ୟ କାର୍ପର୍ଦାର ଶାସନ ଥାନା ବହିଦାରକଣ୍ଟା ଗାଁର ମାମୁଁ ରଘୁନନ୍ଦନ ପ୍ରଧାନ ର ପୁଅ ସୁଧାଂଶୁ ପ୍ରଧାନ (୩୭) ଏବଂ ସଦର ଥାନା ବାଇରବନ୍ଧ ଗାଁର ରାଜେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟଜିତ ପ୍ରଧାନ (୨୫) ଥିବା ବେଳେ ଅନ୍ୟ ୭ଜଣ ହେଲେ ଜମନକିରା ଥାନା କଣ୍ଟିଆଲି ଗାଁର ଗୋରିଣ୍ଡ ଶଲିମା ର ପୁଅ ଚିନ୍ମୟ ସଲିମା(୨୦), ସଦର ଥାନା ବାଇରବନ୍ଧ ଗାଁର ଭକ୍ତ ନାୟକ ର ପୁଅ ମନୋଜ ନାୟକ(୧୯), ଜମନକିରା ଥାନା ଖରସନମାଲ ଗାଁର ସିତାରାମ ମୁଣ୍ଡା ର ପୁଅ ଚନ୍ଦନ ମୁଣ୍ଡା(୧୯), ଖରସନମାଲ ଗାଁର ବଳରାମ ମୁଣ୍ଡା ର ପୁଅ ବିଜୟ କୁମାର ମୁଣ୍ଡା(୨୪), ସଦର ଥାନା ବାହାମ ଗାଁର ସନ୍ତୋଷ ମାଝୀ ର ପୁଅ ବିଜୟ ମାଝୀ(୨୩), ଜମନକିରା ଥାନା ଖରସନମାଲ ଗାଁର ପରଦେଶୀ ସିଂ ର ପୁଅ ଗୋପାଳ ସିଂ(୨୧) ଏବଂ ଶାସନ ଥାନା ଜାମପାଲି ଗାଁର ଦନାରଦନ ବଢେଇ ର ପୁଅ ମନୋଜ ବଢେଇ(୩୦) କୁ ପୋଲିସ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଏନେଇ ଜମନକିରା ଥାନା କେସ ନ.୧୪୫/୨୩(୩୭୮)(୧୨୦ବି)ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।ସୂଚନା ଯୋଗ୍ୟ ଯେ, ଗତ ୧୬ ତାରିଖ ବିଳମ୍ବିତ ରାତ୍ରୀରେ ଜମନକିରା ଥାନା ଅନ୍ତର୍ଗତ କଟଙ୍ଗପାଣି ଗ୍ରାମର ମଦନ ସୁନ୍ଦର ପଧାନଙ୍କ ଘର ସମ୍ମୁଖରୁ ତାଙ୍କର ଏକ ପାୱାର ଟିଲର ଚୋରି ହୋଇଥିଲା। ଏନେଇ ଶ୍ରୀ ପଧାନ ୧୭ ତାରିଖ ଦିନ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ଆଇଆଇସି ପଦ୍ମାଳୟା ସାହୁ ଏସଆଇ ଦେବଜାନୀ ଛତରଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ଧୀରେ ଧୀରେ କୁଚିଣ୍ଡା ଥାନା, କତରବଗା ଏବଂ ସଦର ଥାନାରେ ମଧ୍ୟ ପାୱାର ଟିଲାର ଚୋରିର ଅଭିଯୋଗ ହୋଇଥିବା କଥା ସାମ୍ନାକୁ ଆସିଥିଲା ଫଳରେ ସମ୍ବଲପୁର ଏସିପି ଙ୍କ ନିର୍ଦ୍ଦେଶ କ୍ରମେ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ସଦର ଥାନା ଏବଂ ଜମନକିରା ଥାନା କର୍ମକର୍ତ୍ତାକୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ଦୀର୍ଘ ତେର ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଗତକାଲି ନଅ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମାନଙ୍କ ପାଖରୁ ୭ ଗୋଟି ପାୱାର ଟିଲର, ୨ଟି ଧାନକଟା ରେପର୍ ମେସିନ ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ପିକଅଫ ଗାଡି( ଓଡ଼ି ୧୫ କ୍ୟୁ ୧୭୭୩) ଏବଂ ଚୋରି ପାଇଁ ବ୍ୟବହୃତ ୪ଟି ମୋବାଇଲ ଜବତ କରିଛି। ଏନେଇ ଆଜି ଏସଡିପିଓ ଶ୍ରୀ ପଣ୍ଡା ପ୍ରେସମୀଟ ଆୟୋଜନ କରି ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି।