ଜମନକିରା ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଲଟିଛି ମରୀଚିକା
ସମ୍ବଲପୁର, (ଲିପନ ନାଏକ):ବଦଳିଲା ସରକାର, ବଦଳିଲେ ମନ୍ତ୍ରୀ । ହେଲେ ବଦଳିଲା ନାହିଁ ଜମନକିରା ଅଞ୍ଚଳରେ ସମସ୍ଯା । ସାଧାରଣ ନିର୍ବାଚନ ସରିଗଲା, ଜମନକିରା ଅଞ୍ଚଳବାସୀ ପାଇଲେ ଜଣେ ତୁଙ୍ଗ ରାଜନୈତିକ ନେତାଙ୍କୁ ବିଧାୟକ ଭାବେ । ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ନିର୍ବାଚିତ ବିଧାୟକ ଜଣଙ୍କ ବି ପାଇଲେ ମନ୍ତ୍ରୀପଦ । ହେଲେ ଅଞ୍ଚଳିକ ସମସ୍ଯା ଦୂରୀକରଣରେ ଜମନକିରା ବ୍ଲକ ଏବେ ରହିଯାଇଛି ବହୁ ପଛରେ । ଓଡିଶା ସରକାରଙ୍କ ପାନୀୟ ଜଳ, ପଞ୍ଚାୟତି ରାଜ, ଏବଂ ଗ୍ରାମୀଣ ବିଭାଗୀୟ ମନ୍ତ୍ରୀ ରହିଛନ୍ତି ଖୋଦ୍ କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକ। କୁହାଯାଏ ଯେଉଁ ଅଞ୍ଚଳର ବିଧାୟକ ମନ୍ତ୍ରୀ ହୁଅନ୍ତି, ସେହି ଅଞ୍ଚଳର ଉନ୍ନତି ଅନ୍ୟାନ୍ୟ ଅଞ୍ଚଳ ଠାରୁ ନିଶ୍ଚିତ ଭାବେ ଅଧିକ ହୋଇଥାଏ । ଏପରିକି ମନ୍ତ୍ରୀଙ୍କ ଅଞ୍ଚଳରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥାଏ । କାର୍ଯ୍ୟ ଗୁଡ଼ିକୁ ତଦାରଖ କରିବାପାଇଁ ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟରେ ନିୟୋଜିତ ହୋଇଥାନ୍ତି ଆବଶ୍ୟକ ସଂଖ୍ୟକ ଯନ୍ତ୍ରୀ । ହେଲେ ଯଦି ୮ଜଣରୁ ୪ଜଣ ଯନ୍ତ୍ରୀ ଯଦି ନିଷ୍କ୍ରିୟ ରହିବେ ତେବେ ଆଞ୍ଚଳିକ ଉନ୍ନୟନକୁ ନେଇ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ । ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ରହିଛି ଜମନକିରା ବ୍ଲକ କାର୍ଯ୍ୟାଳୟ। ଜମନକିରା ବ୍ଲକ କାର୍ଯ୍ୟାଳୟରେ ୮ ଜଣ ଯନ୍ତ୍ରୀ ନିୟୋଜିତ ରହିଛନ୍ତି । ମାତ୍ର ୨ ଜଣ ଯନ୍ତ୍ରୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମେଡିକାଲ ସମସ୍ୟା ଯୋଗୁଁ ଛୁଟିରେ ରହୁଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଶୁମ୍ଭ ନିଶୁମ୍ଭ ନାମରେ ଅଞ୍ଚଳବାସୀ ନାମିତ କରିଛନ୍ତି । ଲୋକଙ୍କ ଏହି ନାମକରଣର ଅର୍ଥ ମଧ୍ୟ ସମସ୍ତଙ୍କୁ ଉଣା ଅଧିକେ ଜଣା। ଏଭଳି ପରିସ୍ଥିତିରେ ରହିଲେ ଆଉ ୪ଜଣ ଯନ୍ତ୍ରୀ । ଜିଲ୍ଲାର ସର୍ବବୃହତ ବ୍ଲକର ମାନ୍ୟତା ବହନ କରୁଥିବା ଜମନକିରା ବ୍ଲକରେ ୨୧ ଟି ପଞ୍ଚାୟତ ରହିଛି । ହେଲେ ବ୍ଲକରେ କାମିକିଆ ଯନ୍ତ୍ରୀଙ୍କ ଅଭାବରୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେବାରେ ଅନ୍ତରାୟ ସୃଷ୍ଟି କରିଆସୁଛି । ଏପରିକି ଶୁମ୍ଭ ନିଶୁମ୍ବ ନାମରେ ନାମିତ ଦୁଇ ଯନ୍ତ୍ରୀ ନିଜ ପଞ୍ଚାୟତରେ ରହିବାକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ରାଜନୈତିକ ଛତ୍ରଛାୟା ତଳେ ଥିବା ଦର୍ଶାଇ ନିର୍ଭୟରେ ଜମନକିରା ବ୍ଲକରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି । ଏଭଳି ଅବ୍ୟବସ୍ଥାରେ ଯଦି ଜମନକିରା ଭଳି ବ୍ଲକ କାର୍ଯ୍ୟାଳୟ ରହେ ତେବେ ମନ୍ତ୍ରୀଙ୍କ ଅଞ୍ଚଳର ଅବସ୍ଥା କିପରି ବଦଳିବ, ସମୃଦ୍ଧ ଓଡ଼ିଶା ଗତିପଥ ରେ କିପରି ଏହି ଅଞ୍ଚଳର ବିକାଶ ହୋଇପାରିବ ତାହା ପ୍ରଶ୍ନବାଚୀ ସାଜିଛି । ତଥାପି ବ୍ଲକ ପ୍ରଶାସନ ଏଥିପ୍ରତି ଏବେଠାରୁ ଆବଶ୍ୟକୀୟ ପଦକ୍ଷେପ ନେଇପାରିଲେ ଜମନକିରା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଏ ସମ୍ପର୍କରେ ଜମନକିରା ଏ.ଇ.ଇ ସାଲିନି ସିଂ ଙ୍କ ମତାମତ ନେବାପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।