ଜମିକୁ ପାଣି ଯୋଗାଇବା ସକାଶେ ପ୍ରଶାସନର ମିଳିତ ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଅଛି । ଚାଷୀଙ୍କ ଠାରୁ ଧାନ କିଣିବା ସମୟରେ ଏଫ୍.ଏ.କ୍ୟୁ ମାନର ଧାନ କିଣାଯିବ । ଚାଷୀଗଣ ଯେଭଳି ସଠିକ ଏଫ.ଏ.କ୍ୟୁ ଧାନ ବିକ୍ରିକରିବା ସକାଶେ ମଣ୍ଡି କୁ ଧାନ ଆଣିବେ, ସେଥି ସକାଶେ ସଚେତନତା ପ୍ରକ୍ରିୟା କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଧାନ କ୍ରୟ ସମୟରେ କଟନି ଛଟନି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ଚାଷୀକୁଳକୁ ସଚେତନ କରାଇ କିଭଳି ଉନ୍ନତମାନର ଧାନ ବିକ୍ରି କରିବାକୁ ମଣ୍ଡିକୁ ଧାନ ଆଣିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ବ ଆରୋପ କରାଯାଇଛି । ତେବେ ଅଭାବୀ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଅମଳରେ ବାଧା ଦେଖାଯାଉଥିବା ଚାଷୀକୁଳ ପ୍ରଶାସନକୁ ଜଣାଇଛନ୍ତି । ଏହାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସୁପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କୃଷି ବିଭାଗ, ଉଠା ଜଳ ସେଚନ ବିଭାଗ, ପାଣି ପଞ୍ଚାୟତ, ଟିପିଏସଓଡିଏଲ୍ ଇତ୍ୟାଦି ବିଭାଗର ସମନ୍ବୟ ବୈଠକରେ କୁହାଯାଇଛି । ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ଚାଷୀକୁଳଙ୍କ ଧାନ ଚାଷରେ ସମସ୍ୟା ଦେଖାଦେବ । ପାଣି ଅଭାବରୁ ଧାନ ଅମଳର ମାନ ସଠିକ ରହିବ ନାହିଁ । ଚାଷ ଯଦି ବଞ୍ଚିବ ନାହିଁ ଚାଷୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଚାଷ କାର୍ଯ୍ୟ ସକାଶେ ଚାଷ ପାଇଁ ଜମିରେ ପାଣିର ଶେଷ ପର୍ଯ୍ୟାୟ ପାଣି ଯୋଗାଇବା ଆବଶ୍ୟକ ପଡୁଛି । ଏହି ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଦଶ ପ୍ରତିଶତ ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳ ସେଚନ ପ୍ରକ୍ରିୟା ବେଳେ ଶେଷ ଜମି ପର୍ଯ୍ୟନ୍ତ ଯେମିତି ପାଣି ପହଞ୍ଚିବ ଏବଂ ପାଣି ଯେମିତି ନଷ୍ଟ ହେବ ନାହିଁ ସୁବିନିଯୋଗ ହେବ ସେଥି ସକାଶେ ଚାଷୀକୁଳକୁ ସଚେତନତା କରି ପାଣି ଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅବଗତ କରାଇ ଥିଲେ । ଯଥାଶୀଘ୍ର ନିର୍ଦ୍ଧାରିତ ତାରିଖ ଘୋଷଣା କରି ଅବିଳମ୍ବେ ପାଣି ଛାଡିବାକୁ କୁହାଯାଇଛି । ଗତ ବର୍ଷ ଏହି ସମୟରେ ସୋରଡା ଘାଇରେ 36 ପ୍ରତିଶତ ଜଳ ଥିଲା । ବର୍ତ୍ତମାନ 25 ପ୍ରତିଶତ ଜଳ ରହିଛି । ହରଭଙ୍ଗୀରେ ପାଞ୍ଚ ପ୍ରତିଶତ ଏହିଭଳି କମ୍ ଜଳ ରହିଛି, ତେଣୁ ପାଣିର ସଦ୍ ବିନିଯୋଗ ଯେପରି ହେବ ସେହି ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । ବର୍ଷାଜଳ ରିପୋର୍ଟକୁ ଦେଖାଗଲେ ସମଗ୍ର ଜିଲ୍ଲାର ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ସାଧାରଣ 221.4 ବର୍ଷା ହେଉଥିବା ସ୍ଥଳେ 184.82 ବର୍ଷା ହୋଇଛି, ଯାହାକି 17 ପ୍ରତିଶତ କମ୍ । ଅକ୍ଟୋବର ମାସରେ 187.9 ସାଧାରଣ ବର୍ଷା ହେବା ସ୍ଥଳେ 57.59 ବର୍ଷା ହୋଇଛି । ଯାହାକି 69 ପ୍ରତିଶତ କମ୍ ଏବଂ ନଭେମ୍ବର ମାସର ଆଜିସୁଦ୍ଧା 62.5 ସାଧାରଣ ବର୍ଷା ହେବା ସ୍ଥଳେ ମାତ୍ର 0.27 ବର୍ଷା ରେକର୍ଡ କରାଯାଇଛି । ଯାହାକି ଶତକଡା 100 ପ୍ରତିଶତ କମ୍ । ଡ୍ୟାମ ରୁ ପାଣି ଛଡାଯିବ । ଚାଷୀକୁଳ ଯେପରି ଉପକୃତ ହେବେ ସେମାନେ ଯେମିତି ପାଣି ନଷ୍ଟ କରିବେ ନାହିଁ ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି । ସମ୍ପ୍ରତି କମ୍ୟୁନିଟି ନିକଟରେ ଦୁଇ ହଜାର ପଏଣ୍ଟ ରହିଥିବା ବେଳେ ବୋରଓ୍ବେଲ ରେ 5 ହଜାର ପଏଣ୍ଟ ରହିଛି । ବ୍ୟକ୍ତିଗତ ଭାବେ 3 ହଜାର ପାଖାପାଖି ବୋରଓ୍ବେଲ ରହିଛି ଏବଂ କ୍ଷୁଦ୍ର ଜଳ ସେଚନ ବିଭାଗ ଠାରେ 1085 ଟି ରହିଛି । ସବୁ ଗୁଡିକ ସଠିକ କାର୍ଯ୍ୟକ୍ଷମ କରାଗଲେ ଚାଷ ଜମିକୁ ପାଣି ପହଞ୍ଚିବ ଏବଂ ଚାଷ କାର୍ଯ୍ୟ ସଠିକ ହେବ । ଅନେକ ଉଠା ଜଳ ସେଚନ ରହିଛି କିନ୍ତୁ ସେମାନେ ବିଦ୍ୟୁତ ଦେୟ ପୈଠ କରିନଥିବା ହେତୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଅଛି । ଏଥି ନିମନ୍ତେ ଟିପିଏସ୍ଓଡିଏଲ୍ ଅଧିକାରୀ ଅବଗତ କରାଇଛନ୍ତ ଯେ, ଗତ ତିନି ବର୍ଷର ବିଦ୍ୟୁତ୍ ବକେୟା ପୈଠ କରିଦିଆଗଲେ ସେମାନଙ୍କ ଉଠାଜଳ ସେଚନ ପଏଣ୍ଟ ଗୁଡିକୁ ବିଦ୍ୟୁତ୍ ସଂଯୋଗ କରିଦିଆଯିବ । ଗତ ତିନି ବର୍ଷର ବକେୟା ପୈଠ କରିବା ନିମନ୍ତେ ଚାଷୀକୁଳ ରାଜିଥିବା ବିଭାଗୀୟ ଅଧିକାରୀ ଜଣାଇଥିଲେ । ତେବେ ଆଗାମୀ ଦଶ ଦିନ ପାଇଁ ବିଦ୍ୟୁତ ସଂଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଟିପିଏସଓଡିଏଲ୍ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, କ୍ଷୁଦ୍ର ଜଳ ସେଚନ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଟିପିଏସଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦନ ଦାଶ, ଟିପିଏସଓଡିଏଲ୍ ଏକଜିକ୍ଯୁଟ ଇଞ୍ଜିନିୟର ରାକେଶ ପାତ୍ର, ଉଦ୍ୟାନ ବିଭାଗୀୟ ଉପନିର୍ଦ୍ଦେଶକ ଡ. କଣ୍ଡା ଜେନା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ସୁଜିତ୍ କେ ନାଥ, ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ମୋନାଲିସା ହୋତା ପ୍ରମୁଖ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।