ଜମିବାଡି ବିବାଦରୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜମିବାଡି ବିବାଦକୁ ନେଇ ଗୋଟିଏ ଦଳିତ ପରିବାରକୁ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପାଟକୁରା ଥାନା ଅନ୍ତର୍ଗତ ତାଳସଙ୍ଗା ଗ୍ରାମର ଶୁକଦେବ ସେଠୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡୋଶୀ ଫକିର ବେହେରା ଓ ଅନ୍ୟମାନେ ପୂର୍ବରୁ ଥିବା ପାରିବାରିକ ଓ ଜମିଜମା ବିବାଦକୁ ନେଇ ତାଙ୍କ ଘର ସମ୍ମୁଖ ବୀବାଦୀୟ ଜମି ଉପରେ ଗତ ୨୬ତାରିଖରେ ଯୋରଜବରଦସ୍ଥି ପାଚେରୀ ନିର୍ମାଣ ଆରମ୍ଭ କରିଥିଲେ । ଶୁକଦେବ ଏହାର ପ୍ରତିବାଦ କରିବାରେ ସେମାନେ ଶୁକଦେବ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତଙ୍କ ଆକ୍ରମଣ କରିବାରୁ ସେମାନେ ଜୀବନ ବଂଚାଇବା ପାଇଁ ସେଠାରୁ ପଳାଇଯାଇ ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏହି ଘଟଣାରେ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ଅଭିଯୁକ୍ତମାନେ ସେହି ବିବାଦୀୟ ଜମି ଉପରେ ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଶୁକଦେବ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।