ଜମି ଦଲାଲଙ୍କ କବଜାରେ କଂଗ୍ରେସ ସାଂସଦ ପ୍ରାର୍ଥୀ ଲୋକ ଖୋଜିଲେ ପାଉ ନାହାନ୍ତି!
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କଂଗ୍ରେସ ଲୋକସଭା ସାଂସଦ ପ୍ରାର୍ଥୀ ଇଂ ସିଦ୍ଦାର୍ଥସ୍ୱରୂପ ଦାଶ ଏବେ ଜମି ଦଲାଲ ଓ ହଡାବେପାରୀଙ୍କ କବଜାରେ ପଡିଯାଇଛନ୍ତି । ସାଧାରଣ ଲୋକେ ଖୋଜିଲେ ତାଙ୍କୁ ଆଉ ପାଉନାହାନ୍ତି! ଗୋଟିଏ ପଟରେ ଜମି ଦଲାଲ ଓ ହଡାବେପାରୀ ତାଙ୍କୁ କବଜା କରିନେଇଥିବା ବେଳେ ଅନ୍ୟ ପଟରେ ଆଉ ଜଣେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଯୁବକ ତାଙ୍କୁ କୁ – ପରାମର୍ଶ ଦେଇ ଲୋକଙ୍କ ଠାରୁ ଦୂରେଇ ଦେବାରେ ସଫଳ ହୋଇଛନ୍ତି । ମାତ୍ର କେଇବର୍ଷ ତଳେ ସମିତିସଭ୍ୟ ପଦରେ ଲଢେଇ କରି ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରି ମାଟି ଚାଟିଥିବା ଏହି ପ୍ରାର୍ଥୀ ଜଣଙ୍କ ଏବେ ପୁନର୍ବାର ଜାତୀୟ କଂଗ୍ରେସ ଭଳି ଏକ ଜାତୀୟ ଦଳରୁ ମର୍ଯ୍ୟାଦାଜନକ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ବହୁ ସଲାସୁତୁରା କରି ପ୍ରାର୍ଥୀ ହେବାରେ ସଫଳ ହୋଇଯାଇଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅଧିନରେ ୭ଗୋଟି ବିଧାନସଭା କ୍ଷେତ୍ର ଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ବି ବୈଠକ କରି ପ୍ରଚାର କରିପାରି ନାହାନ୍ତି । ଅନେକ ସମୟରେ ପ୍ରାର୍ଥୀବାବୁଜଣଙ୍କର ମୋବାଇଲ ଫୋନଟି ସୁଇଚଅପ୍ ରହୁଥିବା ବେଳେ ଦଳୀୟକର୍ମୀ, ସମର୍ଥକ ଓ ସାଧାରଣ ଭୋଟର ତାଙ୍କୁ ଦେଖା କରିବାକୁ ଗଲେ କଜଳାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବାବୁଙ୍କ ଦେଖାମିଳୁନି । ସେହି କାର୍ଯ୍ୟାଳୟରେ ଥିବା ବାବୁଙ୍କ ଲୋକମାନେ ଲୋକମାନଙ୍କୁ ଘଉଡେଇ ଦେଉଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଲୋକସଭା ଆସନରୁ ବାବୁ ଜଣଙ୍କ ଲଢେଇ କରିବାକୁ ଆସିଛନ୍ତି ନା କେବଳ ଅନ୍ୟ କୈାଣସି ମନୋକାମନା ପୁରଣ କରିବାକୁ ଆସିଛନ୍ତି ତାହା ଜଣାପଡୁନି । ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସି ଦୁହୁରିଆ ନିକଟସ୍ଥ ଏକ ହୋଟେଲରେ ରହି ଏହି ବାବୁଙ୍କୁ ଯାବତୀୟ କୁ ପରାମର୍ଶ ଦେଉଥିବା ଜନୈକ ଯୁବକ ଜଣଙ୍କ ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହିତ ଏଭଳି କାର୍ଯ୍ୟ ମାଧ୍ୟମରେ ସମସ୍ତଙ୍କୁ କାବୁ କରିନେଉଥିବା ଅଭିଯୋଗ ହୋଇଛି । ଏହି ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଜଣଙ୍କ ଏହି କ୍ଷେତ୍ର ଅଧିନ ଅଧିକାଂଶ ବିଧାୟକ ପ୍ରାର୍ଥୀମାନଙ୍କ ସହିତ ସମ୍ପର୍କ ରଖୁନଥିବା ଓ ସହଯୋଗ କରୁନଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ବାବୁ ଜଣଙ୍କ ଅନେକ ସମୟରେ ଦଳର ନିର୍ବାଚନ ପ୍ରଚାରକୁ ଛାଡି କେଉଁ ଆଡେ ଗାଏବ ହୋଇଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ପ୍ରାର୍ଥୀ ବାବୁ ଜଣଙ୍କ କେଉଁ ଉଦେଶ୍ୟରେ କେନ୍ଦ୍ରାପଡା ଭଳି ଏକ ମର୍ଯ୍ୟାଦାଜନକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ମୈଦାନରେ ରଣକ୍ଷେତ୍ରକୁ ଓହ୍ଲାଇ ଯୁଦ୍ଧ କରିବା ବଦଳରେ ଅନାମଧେୟ କେତେଜଣ ଜମି ଦଲାଲ, ହଡାବେପାରୀ ଓ ଲମ୍ପଟଙ୍କ କବଜାରେ ରହି ରଣକ୍ଷେତ୍ରରୁ ଲଢିବା ପରିବର୍ତ୍ତେ ପଳାୟନ କରୁଛନ୍ତି ତାହା ବୁଝାପଡୁନି । ଏପର୍ଯ୍ୟନ୍ତ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବାବୁଙ୍କ ପ୍ରଚାର ଆରମ୍ଭ ହୋଇନି । ଆଉ ମାତ୍ର ୩ଦିନ ବାକି ଥିବା ବେଳେ ଦେଖାଯାଉ କଣ କରୁଛନ୍ତି ବାବୁ ଜଣଙ୍କ?


