ଜମି ପଟ୍ଟା ଦାବୀ କରି ଆଦିପୁର ଗ୍ରାମବାସୀଙ୍କ ରାସ୍ତା ରୋକ; ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତା ରୋକ

ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡା ସହରରେ ବିଜେ ଶ୍ରୀ ଶ୍ର ବିରଞ୍ଚିନାରାୟଣ ସ୍ୱାମୀଙ୍କ ପାରମ୍ପରିକ ଆଦିପୁର ଗ୍ରାମର ରୟତ ବୃନ୍ଦ ଜମି ପଟ୍ଟା ଦାବୀ କରି ବାଲିପଦର-କରସିଙ୍ଗି ରାଜ୍ୟ ରାଜପଥକୁ ସକାଳ ୭ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଖବର ପାଇ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡିଓ ତନ୍ମୟ ପାତ୍ର ଓ ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ରୟତମାନଙ୍କୁ ବୁଝା ସୁଝା କରିଥିଲେ। ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ ହେଲା ଏହି ଚାଷୀମାନେ ବିରଞ୍ଚିନାରାୟଣଙ୍କ ଜମିଜମା ଚାଷ କରି ମଠ ସତ୍ତ୍ୱ ପ୍ରଦାନ ସହିତ ଜମିର ରାଜସ୍ଵ ବାନ୍ଧି ଆସୁଥିଲେ ମଧ୍ୟ ଏଯାବତ୍ ରୟତମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ନାହିଁ। ବିରଞ୍ଚିନାରାୟଣ ସ୍ବାମୀଙ୍କ ମାର୍ଫତରେ ସମସ୍ତ ଜମିଜମା ରଖାଯାଇଥିବାରୁ ରୟତ ପରିବାର ଜାତିଗତ ପ୍ରମାଣ ପତ୍ର, ବିଭିନ୍ନ ଚାକିରୀ ଓ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା କଥା ସେମାନେ ଦାବୀରେ ଉଲ୍ଲେଖ କରିଛନ୍ତି। ଏହି ବିଷୟ ନେଇ ବର୍ଷ ବର୍ଷ ଧରି ଚାଲି ଆସିଥିବା କାଗଜ ଯୁଦ୍ଧର ଅନ୍ତ ନହେବାରୁ କିଛି ଦିନ ତଳେ ଚାଷୀ ମାନେ ଏକ ପଦଯାତ୍ରା କରି ପ୍ରାଶାସନିକ ଚାପ ସୃଷ୍ଟି କରିଥିଲେ। ସମ୍ପ୍ରତି ରୟତ ମାନେ ଦେବୋତ୍ତର ବିଭାଗ, ଜିଲ୍ଲାପାଳ ପ୍ରଭୃତିଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରି ରାସ୍ତା ରୋକ୍ କରିବା ପରେ ପ୍ରଶାସନ ବୁଝାସୁଝା କରାଇ ରାସ୍ତା ରୋକ୍ ହଟାଇବାରେ ସଫଳ ହୋଇଥିଲେ। ବୁଗୁଡା ତହସିଲ ଦାର ଶ୍ରୀ ଜେନା ଗଞ୍ଜାମ ଜିଲାପାଳ ଓ ପୁରୀ ଯାଇଥିବା ବିରଞ୍ଚିନାରାୟଣ ମଠ ମହନ୍ତଙ୍କ ସହ ଆଲୋଚନା କରି ଆସନ୍ତା ୨୮ ତାରିଖ ଦିନ ମହନ୍ତ ଓ ଆଦିପୁର ରୟତଙ୍କ ମଧ୍ୟରେ ପ୍ରଶାସନ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ