ଜମୁଛି ତାଳସଜ ବେପାର : ପରିବାର ପ୍ରତିପୋଷଣ ବି ହେଉଛି
ନିମାପଡା, (ସନ୍ତୋଷ ଦାଶ) :-ଖରାଦିନ ଆସିଲେ ମନେ ପଡ଼ିଯାଏ ତାଳସଜ କଥା । ଏହା ପାଟିକୁ ସୁଆଦ ଲାଗୁଥିବାବେଳେ ଏହାର ଶୀତଳ, ମଧୁର ପାଣି ପେଟ କୁ ଥଣ୍ଡା ରଖିଥାଏ । ତାଳସଜ ଖାଇ ବାକୁ ପିଲା ଠୁ ବୁଢ଼ା ସମସ୍ତ ଙ୍କ ଆଗ୍ରହ ରହିଥାଏ । ଏହା ସବୁ ସମୟରେ ବି ମିଳି ନଥାଏ । ଏହା ଋତୁ ଅନୁସାରେ ମିଳୁଥିବାରୁ ଏହାର ଚାହିଦା ରହିଥାଏ । ଏବେ ଏହି ତାଳ ସଜ ବିକ୍ରୀ କରି କିଛି ପରିବାର ନିଜ ପ୍ରତି ପୋଷଣ କରୁଛନ୍ତି । ନିମାପଡା – କାକଟପୁର ମୁଖ୍ୟ ରାସ୍ତା କଡ଼ରେ ଏବେ ତାଳ ସଜ ବେପାର ଜମୁଛିକାକଟପୁର ର ମଙ୍ଗଳା ମନ୍ଦିର ଓ ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ କୁ ବୁଲିବାକୁ ଯାଉଥିବା ଯାତ୍ରୀ, ପର୍ଯ୍ୟଟକ ମାନେ ଗାଡ଼ି ଅଟକାଇ ତାଳ ସଜ ଖାଉ ଥିବା ବେଳେ କିଛିବ୍ୟକ୍ତି ଘର ଲୋକ ମାନଙ୍କ ପାଇଁ ତାଳ ସଜ କିଣି ନେଉଥିବା ଦେଖିବାକୁ ମିଳୁଛି । ତାଳ ସଜ କାଟି, ବିକ୍ରୀ କରି କିଛି ପରିବାର ନିଜ ପରିବାର ବି ପ୍ରତିପୋଷଣ କରୁଛନ୍ତି । ନିମା- ପଡା – କାକଟପୁର ମୁଖ୍ୟ ରାସ୍ତା ର ତୁଳସୀପୁର, ଅମରେଶ୍ଵର, ନୟାହାଟ, ପାଣିଛତ୍ର, ଜଗନ୍ନାଥପୁର ପ୍ରଭୃତି ସ୍ଥାନ ରେ ତାଳ ସଜ ବେପାର ଜମିବାରେ ଲାଗିଛି । ତାଳସଜ ବ୍ୟବସାୟ କରୁଥିବା ତୁଳସୀପୁର ଗ୍ରାମ ର ପୂର୍ଣ୍ଣ ଭୋଇ କୁହନ୍ତି ସକାଳୁ ଉଠି ବିଭିନ୍ନ ସ୍ଥାନ କୁ ଯାଇ ତାଳ ଗଛ ଚଢ଼ି ତାଳ ତୋଳି ସାଇକେଲ, ଗାଡ଼ି, ଅଟୋ ଯୋଗେ ଆଣୁଛି । ତା ପରେ ତାଳ କାଟି ସଜ କୁ ଲୋକମାନଙ୍କୁ ପ୍ରଦାନ କରୁଛି । ସଜ ଗୋଟାକୁ ୫ରୁ ୭ ଟଙ୍କା ବିକ୍ରି ହେଉଛି । ଏବେ ଆଉ ପୂର୍ବପରି ସେତେ ତାଳ ଗଛ ନାହିଁ। ତେଣୁ ଦିନକୁ ଦିନ ତାଳ ଆଉ ସଜ କମିବାରେ ଲାଗିଛି । ଅତୀତ ରେ ନିଜ ବାଡି ରେ ଲୋକମାନେ ନଡ଼ିଆ, ତାଳ ଗଛ ଲଗାଉଥିଲେ । ଗଛ ପୁରୁଣା ହୋଇଗଲେ ଗୃହ ନିର୍ମାଣ ରେ ଲାଗିବା ସହିତ ଗଛ ର ପତ୍ର ଓ ଅନ୍ୟାନ୍ୟ ଜିନିଷ ଜାଳ ଓ ଅନ୍ୟ ସାମଗ୍ରୀ ନିର୍ମାଣ କାର୍ଯ୍ୟ ରେ ଲାଗୁ ଥିଲା । ଖରାଦିନେ ତାଳ ସଜ ଓ ବର୍ଷା ଦିନେ ପାଚିଲା ତାଳ ଖାଇବାକୁ ମିଳୁଥିଲା । ପାଚିଲା ତାଳ ରସ ରୁ କିଛି ପରିବାର ପୋଡ଼ପିଠା ତିଆରି ମଧ୍ୟ କରୁଥିଲେ। ତାଳ ଗଛ ଡେଙ୍ଗା ହୋଇଥିବାରୁ ଏଗୁଡ଼ିକ ଘର, ମଣିଷ, ଜୀବଜନ୍ତୁ ମାନଙ୍କୁ ବଜ୍ରପାତ ରୁ ବି ରକ୍ଷା କରୁଥିଲା ବୋଲି କୁହନ୍ତି ପରିବେଶବିତ୍ ତ୍ରିଲୋଚନ ମିଶ୍ର । ସେ ଯାହା ହେଉ ଏବେ ତାଳସଜ କିଛି ପରିବାର ପାଇଁ ଜୀବିକା ପାଲଟିଛି ।