ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ପ୍ରଦେଶରେ କେନ୍ଦ୍ରୀୟ ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ର ଧାରା ୯୬ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ପ୍ରଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଲାଗୁ ହେବା ପରେ ୩୧ ଅକ୍ଟୋବର ୨୦୧୯ ପରଠାରୁ ତତକାଳୀନ ଜମ୍ମୁ ଓ କଶ୍ମୀର ରାଜ୍ୟ ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ରୂପରେ ପୁନର୍ଗଠିତ ହୋଇଛି । ୩୧.୧୦.୨୦୧୯ ପୂର୍ବରୁ ଯେଉଁସବୁ ଆଇନ କେବଳ ତତକାଳୀନ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ବାଦ ଦେଲେ ସାରା ଭାରତରେ ଲାଗୁ ହେଉଥିଲା ଏବେ ସେହିସବୁ ଆଇନ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହେବ । କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ସମ୍ବନ୍ଧରେ, ପ୍ରଶାସନିକ ପ୍ରଭାବଶୀଳତା ଏବଂ ଆବଶ୍ୟକ ପରିବର୍ତନ ସୁନିଶ୍ଚିତ କରିବା ଲାଗି ଜରୁରି ସଂଶୋଧନ ସହିତ ଯୁଗ୍ମତାଲିକା ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରୀୟ ଆଇନ ଲାଗୁ କରିବା ଆବଶ୍ୟକ । ଯାହାଫଳରେ ଭାରତୀୟ ସମ୍ବିଧାନ ଅନୁରୂପ ଏହାକୁ ଲାଗୁ କରିବାରେ କୌଣସି ପ୍ରକାର ଅସ୍ପଷ୍ଟତାକୁ ଦୂର କରାଯାଇପାରିବ । ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ର ଧାରା ୯୬ ଅନ୍ତର୍ଗତ ଆଇନ ଲାଗୁ ଏବଂ ପରିବର୍ତନ କରିବାର ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଉଚ୍ଛେଦ କିମ୍ବା ସଂଶୋଧନ ମାଧ୍ୟମରେ ଏହା କରାଯାଇପାରିବ । କେନ୍ଦ୍ର ଶାସିତ ପ୍ରଦେଶ ଗଠନ ହେବାର ନିର୍ଦ୍ଧାରିତ ତାରିଖ ଠାରୁ ୧ ବର୍ଷ ମଧ୍ୟରେ କୌଣସି ଆଇନ ଲାଗୁ କରିବା ପ୍ରକ୍ରିୟାକୁ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ଆବଶ୍ୟକତା କିମ୍ବା ବ୍ୟବହାରିକତା ଦୃଷ୍ଟିରୁ ଆଇନକୁ ଉଚ୍ଛେଦ ଅଥବା ଏଥିରେ ସଂଶୋଧନ କରାଯାଇପାରେ । ତଦନୁଯାୟୀ, ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଏପରି ୩୭ଟି କେନ୍ଦ୍ର ଆଇନ ଲାଗୁ କିମ୍ବା ଏଥିରେ ସଂଶୋଧନ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ର ଧାରା ୯୬ ଅଧୀନରେ ମିଳିଥିବା କ୍ଷମତା ଅନୁଯାୟୀ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀରରେ ଏହି ଆଇନ କାର୍ଯ୍ୟକାରୀ କରାଯିବ । ଏପରି ସଂଶୋଧନ ଜରିଆରେ କେନ୍ଦ୍ରୀୟ ଆଇନ ଲାଗୁ ହେବା ଦ୍ୱାରା ଜମ୍ମୁ ଓ କଶ୍ମୀରରେ ପ୍ରଶାସନିକ ପ୍ରଭାବଶୀଳତା ସୁନିଶ୍ଚିତ ହେବ ତଥା ଭାରତର ସମ୍ବିଧାନ ଅନୁରୂପ ଏସବୁ ଆଇନ ଲାଗୁ କରିବା କ୍ଷେତ୍ରରେ ରହିଥିବା ଅସୁବିଧା ଦୂର ହୋଇପାରିବ ।