ଜରାଜୀର୍ଣ୍ଣ ଅବସ୍ଥାରେ ବେଗୁନିଆପଡ଼ା ଓଡନଈ ଆର.ଡି ରାସ୍ତା
କୋଦଳା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାସ୍ଥିତ ବେଗୁନିଆପଡାଠାରୁ ଓଡନଈ ଦେଇ ଶରଧାପୁର ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତା ବର୍ତ୍ତମାନ ଅତି ଶୋଚନୀୟ ହେବାସହ ରାସ୍ତା ଉପରୁ ପିଚୁ ସମେତ ମେଣ୍ଟାଲ୍ ଗୁଡିକ ଉଠି ଯାଇ ରାସ୍ତାର ଅନେକ ସ୍ଥାନରେ ବିରାଟ ବଡବଡ ଗାତ ସୃଷ୍ଟି ହୋଇଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଓଡନଈ ଗ୍ରାମବାସୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବେଗୁନିଆପଡ଼ା ଠାରୁ ୨ କିମି ଦୂରରେ ଅବସ୍ଥିତ ଓଡନଈକୁ ଯିବା ଆସିବା ପାଇଁ ଏହା ନିତିଦିନିଆ ଓ ମୁଖ୍ୟ ରାସ୍ତା ହୋଇଥିବା ବେଳେ ମରାମତି ନ ହେବା ଫଳରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ବିକାଶ ପାଇଁ ଗମନାଗମନ ଏକ ପ୍ରମୁଖ ଅଂଗ ବୋଲି ସରକାର କହୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ତପ୍ତରତା ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ ଉକ୍ତ ରାସ୍ତା ମରାମତି ନ ହେବା ପରିତାପର ବିଷୟ ବୋଲି ମର୍ଦକୋଟ ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ବୁଲୁ ପଲେଇ କହିଛନ୍ତି। ଅପରପକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ରାସ୍ତାର ଅବସ୍ଥା ସଂପର୍କରେ ଉପରିସ୍ଥ ଅଧିକାରୀକୁଂ ଅବଗତ କରାଯାଇଛି ଏବଂ ଅନୁଦାନ ଆସିନାହିଁ। ଅନୁଦାନ ଆସିଲେ କାର୍ଯ୍ୟ ହେବ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ବିଭାଗୀୟ ମୁଖ୍ୟ ଏଥିପ୍ରତି ତୁରନ୍ତ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ହେଉଛି।