ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡ଼ାର ଏକମାତ୍ର ଫ୍ଲାଏ ଓଭର

ରାୟଗଡ଼ା,( ଦୁର୍ଗା ପ୍ରସାଦ ପାଢ଼ୀ):ଶୋଚନୀୟ ଅବସ୍ଥାରେ ରାୟଗଡ଼ା ସହରରେ ରହିଥିବା ଏକମାତ୍ର ଫ୍ଲାଏ ଓଭର । ୧୯୯୮ ମସିହାରେ ନିର୍ମାଣ ହୋଇଥିବା ଏହି ଫ୍ଲାଏ ଓଭରକୁ ଇତି ମଧ୍ୟରେ ୨୫ବର୍ଷ ବିତିଗଲାଣି । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ କାରଣରୁ ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ । ପ୍ରକାଶ ଥାଉକି, ରାୟଗଡ଼ା ସହର ଦେଇ ଯାଇଥିବା ରେଳପଥ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବା କାରଣରୁ ରେଳ ବିଭାଗ ଓ ପୂର୍ତ ବିଭାଗର ମିଳିତ ଉଦ୍ୟମରେ ସହର ମଧ୍ୟରେ ଏକ ଫ୍ଲାଏ ଓଭର ୧୯୯୮ ମସିହାରେ ନିର୍ମାଣ ହୋଇଥିଲା । ତେବେ ବ୍ରହ୍ମପୁର ଠାରୁ କୋରାପୁଟକୁ ରାୟଗଡ଼ା ସହର ଦେଇ ଲମ୍ବିଥିବା ରାଜ୍ୟ ରାଜପଥ ୩୨୬ନମ୍ବର ଜାତୀୟ ରାଜପଥ ଭାବେ ଘୋଷଣା ହେବା ପରେ ୨୦୧୬ ମସିହାରେ ଏହି ଫ୍ଲାଏ ଓଭର ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା । ଏହାପରେ 8 ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ନେଇ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆନଯିବାରୁ ବର୍ତମାନ ଏହାର ଉପରଭାଗ ସମ୍ପୂର୍ଣ୍ଣ ଦୁର୍ବଳ ପଡ଼ିଯାଇଛି । ୨ଶହ ମିଟରର ଫ୍ଲାଏ ଓଭରରେ ଗର୍ତ୍ତମାନ ସୃଷ୍ଟି ହେଵା ନେଇ ଖବର ପ୍ରସାରଣ ପରେ ସ୍ଥାୟୀ ସମାଧାନ ପୂର୍ବକ ଏହାର ସମ୍ପୂର୍ଣ୍ଣ ମରାମତି ବଦଳରେ ସେଗୁଡିକୁ ପ୍ୟାଚ ପକାଇ ଛାଡି ଦେଇଛି ଜାତୀୟ ରାଜପଥ ବିଭାଗ | ଫ୍ଲାଏ ଓଭରର ଦୁଇ ପାଶ୍ୱର୍ରେ ରହିଥିବା ସୁରକ୍ଷା ବାଡ଼ ମଧ୍ୟ ଭାଙ୍ଗି ନଷ୍ଟ ହେବାରେ ଲାଗିଲାଣି । ଫ୍ଲାଏ ଅଭର ଆଲୋକୀକରଣ ବ୍ୟବସ୍ଥା ପାଇଁ ଲାଗିଥିବା ଲାଇଟ ଖୁଣ୍ଟରେ ବେଆଇନ ଭାବେ ବିଭିନ୍ନ କେବୁଲ ଲାଇନ ଟଣାଯାଇଛି | ଫଳରେ ଯାନବାହାନ ଯାତାୟାତ ବେଳେ ସେଗୁଡିକ ଗାଡି ଗୁଡିକରେ ବାଜିବା ଫଳରେ ଦୁର୍ଘଟଣାମାନ ଘଟୁଛି | ଉକ୍ତ କେବୁଲ ଗୁଡିକ ଭାରି ଯାନ ଯାତାୟାତ ସମୟରେ ଛିଡି ତଳେ ପଡି ରହୁଛି | ଫଳରେ ଫ୍ଲାଏ ଅଭରରେ ମୋଟରସାଇକେଲ ଯାତାୟାତ ସମୟରେ ସେଗୁଡିକ ଲାଗି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି | ଏଭଳିକି ଫ୍ଲାଏ ଅଭରର ଉଭୟ ପାର୍ଶ୍ୱରେ ଉପର ଓ ତଳ ପାର୍ଶ୍ୱରେ ବିଭିନ୍ନ ଗଛ ଗୁଡିକ ଉଠିଥିଲେ ମଧ୍ୟ ସମୟରେ ସେଗୁଡିକୁ କଟାଯାଉନି | ଫଳରେ ସେଗୁଡିକର ଚେର ଏହାର ସିମେଣ୍ଟକୁ ଫଟାଇ ଭିତରେ ମାଡୁଛି | ଫ୍ଲାଏ ଅଭର ନିର୍ମାଣ ପାଇଁ ସହରର ଜନସାଧାରଣ ଠାରୁ ଆରମ୍ଭ କରି ରାଜନେତା ଓ ଜିଲାର ପଦାଧିକାରୀମାନେ ବାରମ୍ବାର ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନେଇନାହିଁ ଜାତୀୟ ରାଜପଥ ବିଭାଗ । ସେହିଭଳି ରାୟଗଡ଼ା ବ୍ଲକ ଜେକେପୁର ସ୍ଥିତ ନାଗାବଳୀ ନଦୀ ଉପରେ ରହିଥିବା ପୋଲର ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ । ପୋଲ ନିର୍ମାଣ ହୋଇ ୫୦ ବର୍ଷରୁ ଉର୍ଧ୍ଵ ବିତିଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ସେହିଭଳି ଜେକେପୁର ନିକଟସ୍ଥ ନାଇଡ଼ୁପେଟା ପୋଲ ମଧ୍ୟ ଭୁଶୁଡ଼ିବା ଅବସ୍ଥାରେ ରହିଥିବା ବେଳେ ଏହାର ସ୍ଥାୟୀତ୍ୱ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ କୌଣସି ସମାଧାନ କରାଯାଉନାହିଁ । ପ୍ରକାଶ ଥାଉକି, ଫ୍ଲାଏ ଅଭର ମରାମତି ବିଷୟରେ 2023 ମସିହା ନଭେମ୍ବର ମାସରେ ଜାତୀୟ ରାଜପଥ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକ୍ରମ ପାଣିଗ୍ରାହୀଙ୍କୁ ପଚାରିବାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ରାୟଗଡ଼ା ଫ୍ଲାଏ ଓଭର ଏବଂ ଜେକେପୁର ନାଗାବଳୀ ନଦୀ ପୋଲ ପାଇଁ ଡିପିଆର ପ୍ରସ୍ତୁତ କରି ପଠାଯାଇଛି । ପ୍ରାୟ ୩କୋଟି ୧୫ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଖୁବ ଶୀଘ୍ର ଏହା ଅନୁମୋଦନ ହୋଇ ଟେଣ୍ଡର ପ୍ରକ୍ରିୟା କରାଯିବ ଏବଂ ଆଗାମୀ ଦୁଇ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ବିକ୍ରମ କହିଥିଲେ । ହେଲେ ଇତି ମଧ୍ୟରେ 8 ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଶୂନ | ଫ୍ଲାଏ ଅଭର ଗୁଡିକ କେବଳ ପ୍ୟାଚ ପକାଇ ହାତ ଝାଡ଼ି ବସିଯାଇଛି ଜାତୀୟ ରାଜପଥ ବିଭାଗ | କେବଳ ସେତିକି ନୁହେ ଜାତୀୟ ରାଜପଥର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ କାରଣରୁ ସ୍ଥାନେ ସ୍ଥାନେ ଗର୍ତ୍ତଗୁଡିକ ସୃଷ୍ଟି ହୋଇ ଅବସ୍ଥା ସଙ୍କଟାପନ୍ନ ରହିଛି | ଏଫସିଆଇ ଛକ ନିକଟରେ ବିରାଟ ବଡ ଗର୍ତ୍ତ ହେବ ସହିତ ରାସ୍ତାରୁ ପିଚୁ ଉଠି ଲୁହ ଛଡ଼ ଗୁଡିକ ବାହାରି ଦେଖାଯାଉଛି | ଲୁହ ଛଡ଼ ବାହାରିଥିବାରୁ ଭାରି ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ସେହି ରାସ୍ତାରେ ଯିବା ବେଳେ ଚକାରେ ବାଜି ଚକା ଫାଟି ଯାଉଛି | ଏଭଲିକି କିଛି ଗାଡି ଓଲଟି ଦୁର୍ଘଟଣା ମଧ୍ୟ ଘଟୁଛି | ହେଲେ ନିରବ ଜାତୀୟ ରାଜପଥ ବିଭାଗ | ସେହିଭଳି ରାୟଗଡା ଠାରୁ କୋରାପୁଟ ରାସ୍ତାରେ ଆଞ୍ଜିପେଟା ନିକଟରେ ମଧ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଛି | ସମସ୍ତଙ୍କ ନଜର ଏହା ଉପରେ ରହିଥିଲେ ମଧ୍ୟ କାହାରି ତିଳେ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ତରିକତା ଦେଖାଯାଉନଥିବା ଜନସାଧାରଣଙ୍କୁ ବ୍ୟଥିତ କରିଛି | ଫ୍ଲାଏ ଅଭର ଓ ଜାତୀୟ ରାଜପଥ ବିଷୟରେ ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକ୍ରମ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ମୋବାଇଲେ ବନ୍ଦ ରହଥିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ | ଏନେଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୟତଙ୍କୁ ପଚାରିବାରୁ ଜାତୀୟ ରାଜପଥ ବିଭାଗ ସହିତ ଆଲୋଚନା କରି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ