ଜରିଆବରେଇ ଗ୍ରାମରେ ଖାଦ୍ୟ ପୁଡିଆ ଓ ମାସ୍କ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଲକଡାଉନ ବଳବତ୍ତର ଥିବାରୁ ଗରୀବ ଦିନମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା ନପାଇ ଅତ୍ୟନ୍ତ ଅସୁବିଧାରେ ଥିବାରୁ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଂଚାୟତର ଜରିଆବରେଇ ଗ୍ରାମର ଏକଶହ ୨୦ ପରିବାରର ଲୋକମାନଙ୍କୁ ଖାଦ୍ୟ ପୁଡିଆ ବଂଟନ କରାଯାଇଛି । ପ୍ରତ୍ୟେକ ପୁଡିଆରେ ଚାଉଳ, ଡାଲି, ଚୁଡା, ଚିନି, ଆଳୁ, ପିଆଜ, ଲୁଣ ଓ ସାବୁନ ପ୍ରଭୃତି ରହିଛି । ଜରିଆବରେଇ ଗ୍ରାମର ଯୁବ ସମାଜସେବୀ ପ୍ରଦୀପ୍ତ ରଞ୍ଜନ ପ୍ରଧାନ ଓ ଦେବଦତ୍ତ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମାଗଣା ଖାଦ୍ୟ ପୁଡିଆ ବଂଟନ କାର୍ଯ୍ୟକ୍ରମରେ ନଳିନୀକାନ୍ତ ସାହୁ, ପ୍ରକାଶ ସାହୁ, ଶିବାନିକାନ୍ତ ଦାସ, ଉତ୍ତମ ସାହୁ, ଜ୍ଞାନରଞ୍ଜନ ବିଶ୍ୱାଳ, ବେଣୁଧର ପ୍ରଧାନ, ଧନେଶ୍ୱର ସାହୁ, କାଙ୍ଗାଳି ସାହୁ, ଅଗଣି ସାହୁ, ରମାକାନ୍ତ ସ୍ୱାଇଁ, ସୁରେଶ ସାହୁ ପ୍ରମୁଖ ଯୁବକମାନେ ସାମିଲ ହୋଇ ଟ୍ରଲି ରିକ୍ସାରେ ଖାଦ୍ୟ ପୁଡିଆକୁ ବୋହିନେଇ ଘରେ ଘରେ ଲୋକମାନଙ୍କୁ ବଂଟନ କରିଥିଲେ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତ୍ୟେକ ଘରେ ମାସ୍କ ବଂଟନ କରିବା ସହିତ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରତିଭା ପୁଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ଓ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।