ଜଳଖିଆ ଦୋକାନୀଙ୍କ ପୁଅ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଭୁବନେଶ୍ଵର : ପ୍ରଚଣ୍ଡ ଇଚ୍ଛାଶକ୍ତି ଥିଲେ ମଣିଷକୁ କୌଣସି ପ୍ରତିବନ୍ଧକ ରୋକିପାରେନି। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ବରମୁଣ୍ଡା ରେଣ୍ଟାଲ୍‌ କଲୋନିର ବୀରେନ୍ଦ୍ର ତ୍ରିପାଠୀ। ଜଣେ ଜଳଖିଆ ଦୋକାନୀଙ୍କ ପୁଅ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାପା ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପୁଅ ବି ବାପାଙ୍କୁ ଜଳଖିଆ ଦୋକାନରେ ସାହାଯ୍ୟ କରନ୍ତି। ଓଏଏସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏହି ସଫଳତାର ଶ୍ରେୟ ସେ ତାଙ୍କ କକେଇ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କୁ ଦେଇଛନ୍ତି। ବାପା ମାୟାଧର ତ୍ରିପାଠୀ ଓ ମା’ ବାସନ୍ତୀ ତ୍ରିପାଠୀଙ୍କଠାରୁ ଜନ୍ମିତ ବୀରେନ୍ଦ୍ରଙ୍କ କହିବା ମୁତାବକ, ଛୋଟବେଳୁ ଆଇଏଏସ୍‌ ହେବାର ଲକ୍ଷ୍ୟ ରହିଥିଲା। ସିଆର୍‌ପିସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରୁ ସ୍କଲ୍‌ ଶିକ୍ଷା ପରେ ବିଜେବିରେ ବିଏସ୍‌ସି ଶିକ୍ଷା ଲାଭ କରିଥିଲି। ଏଗ୍ରିକଲ୍‌ଚର ଇକୋନୋମିକ୍ସରେ ଏମ୍‌ଏସ୍‌ସି ପଢ଼ୁଥିବା ବେଳେ ଓଏଏସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ଆପ୍ଟି ପ୍ଲସ୍‌ ପକ୍ଷରୁ ବୃତ୍ତି ପାଇ ସେଠାରେ କୋଚିଂ ନେବାର ସୁଯୋଗ ପାଇଥିଲି। ବୀରେନ୍ଦ୍ର କହିଛନ୍ତି ଯେ, ମୁଁ ସବୁବେଳେ ଏକ ନିର୍ଦ୍ଦିଷ୍ଟ ବିଷୟ ଶେଷ କରି ହିଁ ଶୋଇବାକୁ ଯାଉଥିଲି। କେଉଁଦିନ ବି ପଢ଼ାରେ ଅବହେଳା କରୁ ନ ଥିଲି। ବାପାଙ୍କୁ ବେ‌ଳେବେଳେ ଯାଇ ଜଳଖିଆ ଦୋକାନରେ ସହଯୋଗ କରୁଥିଲି। ତେବେ ଏତିକିରେ ମୋ’ର ଲକ୍ଷ୍ୟ ସାଧିତ ହୋଇନି। ଆଇଏଏସ୍‌ ହେବା ମୋର ଲକ୍ଷ୍ୟ ବୋଲି ବୀରେନ୍ଦ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ