ଜଳଛତ୍ର ନାଁରେ କେଲେଙ୍କାରି କେବେ ସୁଧୁରିବ ମହାନଗର ନିଗମ : ପୀତବାସ ପଣ୍ଡା

ବ୍ରହ୍ମପୁର,(ୱାଇଏନଏସ): ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅନିୟମିୟତା ଓ କେଳେଙ୍କାରୀରେ ଛନ୍ଦି ହୋଇ ପଡ଼ିଥିବା ମହାନଗର ନିଗମ ସୁଧୁରିବାରେ ନାଁ ଧରୁନାହି । ଯେ କୌଣସି ବିଭାଗର ଯେ କୌଣସି କାମକୁ ଲକ୍ଷ୍ୟକଲେ କୋଟି କୋଟି ଟଙ୍କାର ଅନିୟମିୟତା ଓ ଦୁର୍ନୀତି ସ୍ଵଷ୍ଠ ବାରି ହୋଇପଡୁଛି । ରୋଡ, ଡ୍ରେନ ଠାରୁ ଆରମ୍ଭ କରି ମଶା ମାରା,ବନ୍ଧ ଖୋଲା , ଗଛ ଲଗା ,କାନ୍ଥରେ ଚିତ୍ର ଆଙ୍କିବା, ପାର୍କ ନବୀକରଣ ,ବାଉଁଶ ବ୍ୟାରିକେଟ ,ସ୍ୱାୟତ୍ତ ଶାସନ ଦିବସ ପାଳନରେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିୟତା ନଜରକୁ ଆସୁଛି ।
ନିକଟରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଖରାଦିନେ ଲୋକଙ୍କୁ ପିଇବା ପାଇଁ ମହାନଗର ନିଗମ ତରଫରୁ ଯେଉଁ ଜଳଛତ୍ର ଖୋଲାଯାଉଛି ସେଥିପାଇଁ ମହାନଗର ନିଗମ କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ଚାହିଁଥିଲେ । ମହାନଗର ନିଗମ ଗତ ପାଞ୍ଚ ବର୍ଷର ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୧ ଓ ୨୦୨୨ ମସିହାରେ ସହରରେ କୌଣସି ଜଳଛତ୍ର ଖୋଲାଯାଇ ନଥିବା ପ୍ରକାଶ କରିଛି । ୨୦୨୩ ମସିହାରେ ସହରରେ ମାତ୍ର ଚାରୋଟି ଜଳଛତ୍ର ଖୋଲା ଯାଇଥିଲା । ତେବେ ୨୦୨୪ ମସିହାରେ ହଠାତ୍ ମହାନଗର ନିଗମ ସହରରେ ୫୩ ଗୋଟି ଜଳଛତ୍ର ଖୋଲିଥିଲା ଓ ସେଥିପାଇଁ ୨୩ ଲକ୍ଷ ୮୭ ହଜାର ୫୦୫ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି । ଏହି ଘଟଣାକୁ ନେଇ ଆଇନଜୀବୀ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ ୨୦୨୩ ମସିହାରେ ମାତ୍ର ଚାରୋଟି ଜଳଛତ୍ର ଖୋଲିଥିବା ବେଳେ ୨୦୨୪ ମସିହାରେ ୫୩ ଗୋଟି ଜଳ ଛତ୍ର ଖୋଲିବାର ଲୁକ୍କାୟୀତ ଉଦ୍ଧେଶ୍ୟ କଣ ଥିଲା ? ଖୋଲା ବଜାରରେ ପାଣିକୁ ଶୁଦ୍ଧ କରୁଥିବା ୪୦ ଲିଟର୍ ମେସିନ୍ ର ଦାମ୍ ୪୦ ହଜାର ଟଙ୍କା ମାତ୍ର। ଏହାକୁ ଯଦି ସହରର ବିଭିନ୍ନ ଛକ ମାନଙ୍କରେ ସ୍ଥାୟୀ ଭାବରେ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ତେବେ ଏହି ବିପୁଳ ଧନ ରାଶିରେ ପ୍ରାୟ ୪୭ ଗୋଟି ପାଣି ଶୁଦ୍ଧ କରୁଥିବା ମେସିନ୍ ସ୍ଥାୟୀ ଭାବରେ ସହରରେ ବସା ଯାଇପାରିଥାନ୍ତା । ଜନ ସାଧାରଣ ବର୍ଷ ତମାମ ଶୁଦ୍ଧ ପିଇବା ପାଣି ଏଥିରୁ ପାଇ ପାରିଥାନ୍ତେ । ବ୍ରହ୍ମପୁର ମହାନଗର ନିଗମ ଝିଣ୍ଟିକା ମାରି ବଣି ପୋଷିବା ନାଁରେ ଏହି ବିପୁଳ ଧନ ରାଶି ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି । ଲୋକଙ୍କ ଟଙ୍କାକୁ ହରି ଲୁଟ କରିବା ବନ୍ଦ କରିବା ସହ ଏହି ଘଟଣାର ତଦନ୍ତ କରାଯାଉ ବୋଲି ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ