ଜଳନିସ୍କାସନର ବାଟ ବନ୍ଦ : ଗାଁରେ ପସିଲା ବର୍ଷାପାଣି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଘୋଷରାପଦା ଗାଁରେ ଜଳନିସ୍କାସନର ସମସ୍ତ ବାଟ ବନ୍ଦ ହୋଇଯାଇଥିବାରୁ ବର୍ଷାଜଳ ଗାଁ ଭିତରେ ପସି ୮ଟି ପରିବାର ଜଳବନ୍ଦି ଅବସ୍ଥାରେ କାଳ କାଟୁଛନ୍ତି । ଖବରରୁ ଜଣାଯାଇଛି ଯେ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ ନିର୍ମାଣାଧିନ କେନାଲ ପାଶ୍ୱର୍ରେ ଜଳ ନିସ୍କାସନର କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଯାହାବି କିଛି ବାଟ ଦେଇ ପାଣି ଯାଉଥିଲା ତାହାକୁ କିଛି ଲୋକ ପୋତିଦେଇ ଉଚ୍ଚା କରିଦେବାରୁ ବର୍ଷାଜଳ ଠିକ ଭାବେ ନିସ୍କାସନ ହୋଇ ପାରୁନି । ଲଗାଣବର୍ଷା ହେବାଦ୍ୱାରା ଗାଁରେ ପାଣିପସି ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଗତ ଦୁଇଦିନ ହେଲା ଗାଁର ବୁଦ୍ଧଦେବ ଦାସ, କମଳ ଲୋଚନ ଦାସ, କୁନି ଦାସ, ଚିତ୍ତରଞ୍ଜନ ଦାସ, ନିତେଇ ଯେନା, ଡୁଗୁରୁ ଯେନା, ବାବୁଲି ଯେନା, ବୁବୁ ଯେନା ପ୍ରମୁଖଙ୍କ ଘର ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛି । ସେମାନଙ୍କ ଘରଗୁଡିକ ଚାଳଘର ଓ କାନ୍ଥ ଗୁଡିକ ମାଟି କାନ୍ଥ ହୋଇଥିବାରୁ ପାଣି ପସିଯିବା ଭୟରେ ଦୁଇଦିନ ହେବ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।


