ଜଳନିସ୍କାସନର ବ୍ୟବସ୍ଥା ନାହିଁ : ପାଣିଘେରରେ : ଯୋଗାଯୋଗ ବିଛିନ୍ନ
ହାଟଡିହି, (ବିକାଶ ବିଶ୍ୱାଳ) :-ବର୍ଷାପାଣି ନିସ୍କାସନ ହୋଇ ପାରୁନଥିବାରୁ ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ବଡତୀରା ଗାଁଟି ଆଜକୁ ୪ଦିନ ହେଲଶ ପାଣି ଘେରରେ ରହିଛି । ଏପରିକି ଜଣେ ବ୍ୟକ୍ତିଙ୍କ ଘରେ ପାଣି ପସିଯିବାରୁ ପ୍ରଶାସନକୁ ଜଣାିବାପରେ କେହି କିଛି ପଦକ୍ଷେପ ନନେବାରୁ ସେ ବାଧ୍ୟ ହୋଇ ରାସ୍ତାଟି କାଟି ଦେବାରୁ ଦୁଇଦିନ ହେଲା ଗାଁ ଲୋକେ ଯାତାୟତ କରିପାରୁ ନାହାନ୍ତି । ଖବରରୁ ଜଣାଯାଇଛି ଯେ ବଉଳା ପାହାଡର ପାଣି ବଡତୀରା ଗାଁ ଦେଇ ତଳକୁ ନିସ୍କାସନ ହୋଇଥାଏ । ମାତ୍ର ରାସ୍ତାରେ ଥିବା କଲଭଟ ସମ୍ମୁଖରେ ଜଣେ ବ୍ୟକ୍ତି ଘର କରିଦେବାରୁ କଲଭଟ ମୁହଁ ବନ୍ଦ ହୋଇଗଲା । ଫଳରେ ଆଉ ପାଣି ନିସ୍କାସନର ସମସ୍ତ ବାଟ ବନ୍ଦ ହୋଇଗଲା । ଚଳିତ ଲଗୁଛାପ ବର୍ଷା ଲାଗି ରହିବାଦ୍ୱାରା ବଉଳା ପାହାଡର ପାଣିସବୁ ଜମିରହି ଗାଁ ଟିକୁ ଘେରାଉ କରିରଖିଲା । ଶହଶହ ଏକର ଚାଷଜମି ଜଳମଗ୍ନ ରହିବା ସହ ଗାଁର କିଛି ବ୍ୟକ୍ତିଙ୍କ ଘରେ ପାଣି ପସିଯିବାରୁ ବାଦ୍ୟ ହୋଇ ତହସିଲଦାରଙ୍କୁ ଅବଗତ କରାଇଥିଲେ । ତହସିଲଦାର ଉକ୍ତ ଗାଁକୁ ଯାଇ ପରିସ୍ଥିତି ଦେଖି ଆସିବାପରେ ମଧ୍ୟ ଜଳ ନିସ୍କାସନର କୌଣସି ବ୍ୟବସ୍ଥା ନକରିବାରୁ କିଛି ବ୍ୟକ୍ତି ବାଧ୍ୟ ହୋଇ ଛେନାପଦି ବଡତୀରା ରାସ୍ତାଟିକୁ ହାଣିଦେଇ ଜଳନିସ୍କାସନ କରାଇଛନ୍ତି । କିନ୍ତୁ ତାହା ପର୍ଯ୍ୟାପ୍ତ ହେଉନଥିବାରୁ ଏବେବି ଚାଷଜମି ସବୁ ପାଣିରେ ବୁଡି ରହିଛି । ରାସ୍ତା କଟା ହୋଇଥିବାରୁ ବଡତୀରା ଗାଁ ଲୋକେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସେମାନେ ଅସିଆ ଗାଁ ବାଟଦେଇ ୪କିଲୋମିଟର ବାଟ ବୁଲିବୁଲି ମୁଖ୍ୟ ରାସ୍ତାକୁ ଆସୁଛନ୍ତି । ପ୍ରଶାସନ ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।