ଜଳବାୟୁ ଚ୍ୟାଲେଞ୍ଜ

ଏଥିରେ ଦ୍ୱିରୁକ୍ତି ନାହିଁ ଯେ, ଭାରତରେ ଜଳବାୟୁ ସଂକଟର ଧମକ ଆଉ ବେଶି ଦୂର ନୁହେଁ । ଚରମ ଜଳବାୟୁ ଘଟଣାବଳୀରେ ଭାରତରେ କେବଳ ୨୦୨୪ରେ ବର୍ତମାନ ସୁଦ୍ଧା ୩୨୦୦ରୁ ଅଧିକ ଜୀବନ ଗଲାଣି । ନିୟୁତ ନିୟୁତ ହେକ୍ଟର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଗଣିତ ବାସଗୃହ ନଷ୍ଟଭ୍ରଷ୍ଟ ହୋଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଗୃହପାଳିତ ପଶୁଙ୍କର ଜୀବନ ଯାଇଛି । ଜଳବାୟୁ ପରିବର୍ତନରେ ଭାରତ କିପରି ପ୍ରାକୃତିକ ତାଣ୍ଡବର ସମ୍ମୁଖୀନ ହୋଇଛି, ତାହାର ଦୁଃଖଦ ଚିତ୍ର ଚଳିତ ବର୍ଷ ଦେଖିବାକୁ ମିଳିଛି । ଉଲ୍ଳେଖଯୋଗ୍ୟ ଯେ, ଚଳିତ ବର୍ଷର ପ୍ରଥମ ୨୭୪ ଦିନରେ ଦେଶ ୨୫୫ଟି ଚରମ ଜଳବାୟୁ ବିଭିଶିକାର ସମ୍ମୁଖୀନ ହୋଇଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଅତିବୃଷ୍ଟି, ଅନାବୃଷ୍ଟି, ବନ୍ୟା, ବାତ୍ୟା, ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟାୟ ତଥା ଚରମ ଜଳବାୟୁ ସଂକଟର ତାଣ୍ଡବରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଯାହାକି କେବଳ ଜୀବନ ନେଇ ନାହିଁ, କୋଟି କୋଟି ଟଙ୍କାର ସମ୍ପତି କ୍ଷତି କରିଛି । କେରଳରେ ୱାୟନାଡାରେ ବର୍ଷର୍ାର ତାଣ୍ଡବ ସାଙ୍ଗକୁ ଭୂସ୍ଖଳନ ସ୍ଥାନୀୟ ବାସିନ୍ଦାଙ୍କ ମେରୁଦଣ୍ଡ କେବଳ ଭାଙ୍ଗି ଦେଇନାହିଁ, ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ନେଇଥିବା ବେସରକାରୀ ରିପୋର୍ଟରେ କୁହାଯାଇଛି । ସେଥିମଧ୍ୟରୁ ବହୁ ଏବେ ବି ନିଖୋଜ ଅଛନ୍ତି । ଏହା ନିସନ୍ଦେହ ଯେ, ଜଳବାୟୁ ପରିବର୍ତନ ବା ଚରମ ଜଳବାୟୁ ତାଣ୍ଡବର ପ୍ରଭାବ କେବଳ ଗରିବ, ଅସହାୟ, ସ୍ୱଳ୍ପ ଆୟକାରୀ ବିଶେଷ କରି ଗ୍ରାମାଚଂଳ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଯାହାର କ୍ଷତି ଭରଣା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ସେମାନେ ଗରିବରୁ ଆହୁରି ଗରିବ ହୋଇଯାଉଛନ୍ତି । ବାସଗୃହ ଭାଙ୍ଗିବା ଓ ଫସଲ କ୍ଷତିଗ୍ରସ୍ତ ହେବା ଯୋଗୁଁ ସେମାନେ କେବଳ ବାସ ହରା ହେଉନାହାଁନ୍ତି, ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି । ବୋଧହୁଏ ଏଇଥିପାଇଁ ଭାରତ ଭୋକିଲା ରାଷ୍ଟ୍ରଙ୍କ ତାଲିକାରେ ବିଶ୍ୱରେ ୧୦୫ତମ ସ୍ଥାନରେ ରହିଛି । କହିବା ବାହୁଲ୍ୟ ଯେ, ପ୍ରକୃତି ଉପରେ ମଣିଷର ଅତ୍ୟାଚାର ଯେତିକି ଯେତିକି ବଢିଚାଲିଛି, ପ୍ରକୃତିର କୋପ ସେତିକି ସେତିକି ଉଗ୍ର ହେଉଛି । ଯାହାର ପରିଣାମ ହେଉଛି ଚରମ ଜଳବାୟୁ ସଂକଟ, ହିମାଳୟ ପାଦ ଦେଶଠାରୁ ଆରମ୍ଭ କରି ପଶ୍ଚିମଘାଟ ପାର୍ବତ୍ୟାଚଂଳ ପର୍ଯ୍ୟନ୍ତ ଅଂଚଳରେ ବ୍ୟାପକ ଖଣିଖନନ, ନିର୍ମାଣ, ଆଖିବୁଜା ଗଛକଟା କେବଳ ଜୈବ ବିବିଧତା ନଷ୍ଟ କରୁନାହିଁ, ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନର କାରଣ ହୋଇଛି । ଗତ କିଛି ବର୍ଷ ହେଲା ଉତରାଖଣ୍ଡ, ହିମାଚଳ ପ୍ରକଳୟଙ୍କାରୀ ବନ୍ୟାର ବିଭିଷିକାରେ ସମ୍ମୁଖୀନ ହୋଇଥିବାବେଳେ ଭୂସ୍ଖଳନର ତାଣ୍ଡବରେ ପେଷି ହୋଇଯାଉଛି । ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀ ପରି ସହରାଚଂଳରେ ପ୍ରାକୃତିକ ନାଳ, ହ୍ରଦ, ପୋଖରୀ, ଡ୍ରେନ ଆଦି ପୋତି ତା ଉପରେ ବଡ ବଡ ନିର୍ମାଣ ଚାଲିଛି । ଯାହାର ପରିଣତ ସ୍ୱରୁପ ସହରରେ ବନ୍ୟା, ଅସହ୍ୟ ତାପମାତ୍ରା ଜନଜୀବନ ପାଇଁ କେବଳ ଅସ୍ୱାସ୍ଥ୍ୟକାକର ହୋଇନାହିଁ, କ୍ଷତିକାରକ ସାବ୍ୟସ୍ତ ହୋଇଛି । କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ଭୁବନେଶ୍ୱର ଆଦି ବଡବଡ ସହରରେ ସହରୀବନ୍ୟା ବର୍ଷା ଋତୁରେ ଏକ ନିୟମିତ ଘଟଣାରେ ପରିଣତ ହୋଇଗଲାଣି । ଉପଯୁକ୍ତ ପ୍ଲାନିଂର ଅଭାବ ଏବଂ ଜଳବାୟୁ ପରିବର୍ତନର ଚରମ ପ୍ରଭାବ ପ୍ରାକୃତିକ ବିପର୍ଯ୍ୟାକୁ ମଣିଷକୃତ ବିପର୍ଯ୍ୟାୟରେ ପରିଣତ କରିଛି ବୋଲି କହିଲେ ଭୁଲ ହୋଇନପାରେ । ଏହା ନିସନ୍ଦେହ ଯେ, ଜଳବାୟୁ ପରିବର୍ତନର ସଂକଟ ଏବେ ଦେଶର ଅର୍ଥନୀତି ତଥା ଅଭିବୃଦ୍ଧିକୁ ପ୍ରଭାବିତ କରିଛି । ବ୍ୟାପକ ଶସ୍ୟ ହାନୀ ଯୋଗୁଁ ଦରଦାମର ବୃଦ୍ଧିର କାରଣ ହୋଇଛି । ଚରମ ଜଳବାୟୁ ଧମକକୁ ଏଡାଇବା ଲାଗି ସୁଚିନ୍ତିତ ନୀତି ନିର୍ଦ୍ଧାରଣ ସହ ଏଥିଲାଗି କଠୋର ଆଇନଗତ ବ୍ୟବସ୍ଥାର ଆବଶ୍ୟକତା ରହିଛି ଜଳବାୟୁ ପରିବର୍ତନ ଏବେ ଏବେ ମାନବ ସମାଜ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଉଭା ହୋଇଛି । ଏବେ ଜନଜୀବନକୁ ସୁରକ୍ଷିତ ରଖିବାର ସମୟ ଉପନୀତ ହୋଇଛି । ଆମର ପ୍ରାକୃତିକ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛି । ଅନ୍ୟଥା ଚରମ ଜଳବାୟୁ ସଂକଟରେ ମାନବ ସମାଜ କେବଳ ଧ୍ୱଂସର ସମ୍ମୁଖୀନ ହେବା ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ