ଜଳସଂପଦ ଓ ପରିବେଶ ସୁରକ୍ଷା ସମିତି, ବାଲେଶ୍ୱର ପକ୍ଷରୁ ଆଲୋଚନାଚକ୍ର
ବାଲେଶ୍ୱର,: ଜଳସଂପଦ ଓ ପରିବେଶ ସୁରକ୍ଷା ସମିତି, ବାଲେଶ୍ୱର ପକ୍ଷରୁ ନିଳିଆବାଗଠାରେ ଏକ ଆଲୋଚନାଚକ୍ର ଶୁଭଙ୍କର ମହାପାତ୍ରଙ୍କ ଆବାହକତ୍ୱରେ ହୋଇଯାଇଛି । ଏଥିରେ ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ ସଦ୍ୟ ସମାପ୍ତ ଭାରତ ସରକାରଙ୍କ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ‘ଇଣ୍ଡିଆ ୱାଟର ଉଇକ୍’ରେ ଅଂଶଗ୍ରହଣ କରି ସାଂପ୍ରତିକ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଜଳସଂପଦ ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ । ଆଲୋଚନାରେ ପରିବେଶବିତ୍ ଡ. ଅଶୋକ କୁମାର ପାଣିଗ୍ରାହୀ ରାସାୟନିକ ସାର ଓ ଔଷଧର ପ୍ରୟୋଗ ଜଳ ଓ ପରିବେଶ ଉପରେ ପଡ଼ୁଥିବା କୁପରିଣାମ ଉପରେ କହିଥିବାବେଳେ ପ୍ରଶାନ୍ତ ପାଢ଼ୀ ଭୂଗର୍ଭ ଜଳର ସୁରକ୍ଷା ପାଇଁ ଭୂପୃଷ୍ଠରେ ଥିବା ଜଳାଶୟ ସମୂହର ସୁରକ୍ଷା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ସମାଜସେବୀ ଗୋବିନ୍ଦ ଦଳେଇ ଜଳକୈନ୍ଦ୍ରିକ ସମସ୍ୟାର ସମାଧାନ ପାଇଁ ବିିଭିନ୍ନ ଗଣସଂଗଠନଗୁଡ଼ିକର ସହଯୋଗ ଆବଶ୍ୟକତା ଜରୁରୀ ବୋଲି କହିଥିଲେ । ସବୁଜସାଥୀର ଆବାହକ ସପନ ମହାପାତ୍ର ବନୀକରଣକୁ ସରକାର ଓ ଜନସାଧାରଣ ପ୍ରାଥମିକତା ଦେବାପାଇଁ କହିଥିଲେ । ଡ. ପ୍ରମୋଦ ପଣ୍ଡା, ଧୀରେନ୍ଦ୍ର ପାଣି, ଇଂ. ପ୍ରଦୀପ ମହାନ୍ତି, ଭାନୁପଦ୍ମଲୋଚନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପରିବେଶ ଓ ଜଳସଂପଦର ସୁରକ୍ଷାର ବାର୍ତ୍ତା ସ୍କୁଲ୍ ଛାତ୍ରଛାତ୍ରୀଙ୍କଠାରେ ପହଞ୍ଚାଇବା ପାଇଁ ମତପୋଷଣ କରିଥିଲେ । ବାଲେଶ୍ୱର ସହର ପାଖରେ ଥିବା ବୃହତ୍ତ ଜଳାଶୟଗୁଡ଼ିକର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟମ କରିବାର ସିଦ୍ଧାନ୍ତ ନିଆଯାଇଛି । ବୁଦ୍ଧିଜୀବି, ବିଭିନ୍ନ ଗଣ ସଂଗଠନ ଓ ଜନପ୍ରତିନିଧିମାନଙ୍କ ସହଯୋଗରେ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଜଳସଂପଦ ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକ୍ରମମାନ କରିବାପାଇଁ ନିଷତ୍ତି ନିଆଯାଇଛି । ଆଗାମୀ ପିଢ଼ିର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ବାଲେଶ୍ୱର ଜିଲ୍ଲାର ଜନସାଧାରଣ ଏଥିରେ ସକ୍ରିୟଅଂଶଗ୍ରହଣ କରିବାପାଇଁ ନିବେଦନ କରାଯାଇଛି । ଏଥିରେ ବହୁ ବୁଦ୍ଧିଜୀବି ଯୋଗଦେଇଥିଲେ । ଶେଷରେ ଚକ୍ରଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।