ଜଳସେଚନ ଡିଭିଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜଳସେଚନ ଡିଭିଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଗୁରୁବାର ପୂର୍ବାହ୍ନରେ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଝାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର (ଅଗ୍ରୋନୋମି)ବୈଜ୍ଞାନିକ ତାପସ ରଞ୍ଜନ ସାହୁ,(ଉଦ୍ୟାନକୃଷି) ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର,ଜିଲ୍ଲା କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର,ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର,ଜିଲ୍ଲା ମୁଖ୍ୟ ପଶୁ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ,ସହକାରୀ ଉଦ୍ୟାନ କୃଷି ନିର୍ଦେଶକ କନ୍ଦ ଜେନା ପ୍ରମୁଖ ଯୋଗଦେଇ ସେମାନଙ୍କ ବିଭାଗ ପକ୍ଷରୁ ଚାଷୀମାନଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା,ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ଜଳର ସୁବିନିଯୋଗ ଓ ଜଳ ସଂରକ୍ଷଣ ସମ୍ପର୍କରେ ମଧ୍ୟ ବୁଝାଇଥିଲେ । ପ୍ରଥମେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକଙ୍କ ଦ୍ୱାରା ଏକ ଜଗନ୍ନାଥଙ୍କ ଭଜନ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଇଂ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।