ଜଳେଶ୍ୱରରୁ ଭୁବନେଶ୍ୱର ପାଦରେ ଚାଲୁଛନ୍ତି ଆଦିବାସୀ ଯୁବକ : ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଦାବିପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଜନସାଧାରଣଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଠ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ନିମନ୍ତେ ଜଣେ ଆଦିବାସୀ ଯୁବକ ପ୍ରାୟ ୪୦୦କିମି ପାଦରେ ଚାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବିରେଶପୁର ଗ୍ରାମର ଆଦିବାସୀ ଯୁବକ ପୁର୍ଣ୍ଣଚନ୍ଦ୍ର ସିଂ ଅଂଚଳରେ ଜଣେ ସମାଜସେବୀ ଭାବେ ବେଶ ପରିଚିତ। ଗତ ପଞ୍ଚାୟତ ନିର୍ବାଚନରେ ସେ ଜିଲ୍ଲା ପରିଷଦ ଭାବେ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବହୁ ଜନହିତକର କାର୍ଯ୍ୟରେ ନିଜକୁ ସଦାସର୍ବଦା ନିୟୋଜିତ କରିଥାନ୍ତି । ଏହାସତ୍ତ୍ୱେ ସେ ଏବେ ସାର୍ବଜନୀନ ଭାବେ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଜଳେଶ୍ୱରରୁ ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି। ବିଶେଷ କରି ଓଡ଼ିଆ ଭାଷାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରିବା, ଆଦିବାସୀ ଭାଷାକୁ ଆଞ୍ଚଳିକ ମାନ୍ୟତା ଦେବା, ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ଅର୍ଥ ରାଶିକୁ ବୃଦ୍ଧି କରିବା, ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସେ ଦାବି ଉପସ୍ଥାପନା କରିଛନ୍ତି । ଏହାସହିତ ବିଦ୍ୟାଳୟ ଗୁଡିକରେ ଉନ୍ନତମାନର ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ମାନକୁ ଆହୁରି ବୃଦ୍ଧି କରିବା ଏବଂ ଚକ୍ଷୁ ଭଳି ଗୋଟିଏ ଅମୂଲ୍ୟ ସମ୍ପଦ ପାଇଁ ଚକ୍ଷୁ ଦିବସ ପାଳନ କରିବାକୁ ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଉକ୍ତ ୮ଦଫା ସମ୍ବଳିତ ଦାବିପତ୍ରକୁ ପୁର୍ଣ୍ଣଚନ୍ଦ୍ର ସାଥିରେ ଧରି ବିଗତ ଚାରିଦିନ ହେବ ସେ ଜଳେଶ୍ୱରରୁ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଲଘୁଚାପଜନିତ ବର୍ଷା ସତ୍ତ୍ୱେ ସେ ୧୬ନଂ ଜାତୀୟ ରାଜପଥର ଭଦ୍ରକ ଓ ଭଣ୍ଡାରିପୋଖରୀ ଅତିକ୍ରମ କରି ଯାଜପୁର ଜିଲ୍ଲା ମଧ୍ୟକୁ ପ୍ରବେଶ କରିଛନ୍ତି। ମୁଣ୍ଡରେ ପାରମ୍ପରିକ ଭାବେ ମାଟିରେ ନିର୍ମିତ ଗଜାନନଙ୍କ ମୂର୍ତ୍ତି ଓ ଦାବିପତ୍ର ଧରି ସେ ଆହୁରି ଦୁଇଦିନ ବାଟ ଚାଲିବେ ଏଥିରେ ସନ୍ଧେହ ନାହିଁ । ସେ ଯାହାବି ହେଉ ଯୁବ ସମାଜସେବୀ ପୁର୍ଣ୍ଣଚନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓ ବିଭିନ୍ନ ଦାବିକୁ ଜଣାଇବେ ବୋଲି ମନରେ ଶତପ୍ରତିଶତ ଦୃଢ଼ ଆଶା ନେଇ ଶହ ଶହ କିଲୋମିଟର ରାସ୍ତା ଚାଲୁଥିବା ବେଳେ ଏଥିରେ ତାଙ୍କୁ ଭଗବାନ ଯେ ସହାୟ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ