ଜଳ ନିଷ୍କାସନ ପଥ ବନ୍ଦ ଯୋଗୁୁଁ ଛଟପଟ ହେଉଛନ୍ତି ୧୦ଗୋଟି ପରିବାର ଲୋକେ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅପରାଗତା ହେଉ କିମ୍ବା ପ୍ରଶାସନ କଳର ଦୂରଦୃଷ୍ଟି ଅଭାବ ହେଉ ଯେଉଁଥିପାଇଁ ଆଜି ୧୦ଗୋଟି ପରିବାରର ଲୋକେ କୃତ୍ରିମ ବନ୍ୟାକୁ ସାମ୍ନା କରୁଛନ୍ତି । ଶହଶହ ବର୍ଷ ଧରି ଯେଉଁ ବାଟଦେଇ ଜଳନିଷ୍କାସନ ହେଉଥିଲା ଉକ୍ତ ପଥ ବନ୍ଦ ହୋଇଯିବା ଯୋଗୁ ପିଲାଛୁଆ ଧରି ପରିବାର ଲୋକେ ଏବେ ଜଳବନ୍ଦୀରେ ଦିନଦିନ ଧରି ଜୀବନ ଅତିବାହିତ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ସଙ୍ଖୁଳା ଗ୍ରାମର ପ୍ରାୟ ୧୦ଗୋଟି ପରିବାର ଲୋକେ ଏବେ କୃତ୍ରିମ ବନ୍ୟାରେ କାଳତିପାତ କରୁଛନ୍ତି । ଗାଁ ପାଶ୍ୱର୍କୁ ଲାଗିଥିବା ଏକ ଡ୍ରେନେଜ ନାଳ ଦ୍ୱାରା ବର୍ଷାଦିନେ ଉକ୍ତ ଅଞ୍ଚଳର ଜଳନିଷ୍କାସନ ହୋଇଥାଏ । ଏହାଛଡା ଆଖପାଖ ଗାଁ ଓ ଚାଷଜମିର ଉଦ୍ଧୃତ ପାଣି ମଧ୍ୁ ସଙ୍ଖୁଳା ଗାଁ ପାଶ୍ୱର୍ ମୁଖ୍ୟରାସ୍ତା ନୟନଯୋରୀ ଦେଇ ନିଷ୍କାସିତ ହୋଇଥାଏ । ଚଳିତବର୍ଷ ଗାଁର କିଛି ବ୍ୟକ୍ତି ନିଜ ବ୍ୟକ୍ତିଗତ ଜାଗାରେ ପୋଖରୀ ଖୋଳି ଆଡିବନ୍ଧ ଦେବା ଯୋଗୁ ନୟନଯୋରୀ ତଥା ଡ୍ରେନେଜ ନାଳରେ ଯାଉଥିବା ପାଣି ସମ୍ପୂର୍ଣ୍ଣ ଭାବେ ଅବରୋଧ ହୋଇଯାଇଛି । ବିଗତ କିଛିଦିନ ହେବ ବର୍ଷା ଲାଗିରହିବା ଫଳରେ ଗାଁ ମଧ୍ୟକୁ ପାଣି ପଶିଯିବା ଯୋଗୁ ଗ୍ରାମର ପ୍ରାଣକୃଷ୍ଣ ବେହେରା, ବୈଷ୍ଣବ ବେହେରା, ଲକ୍ଷ୍ମଣ ବେହେରା, ଶତ୍ରୁଘନ ବେହେରା, ହରିହର ବେହେରା, ପରକ୍ଷୀତ ବେହେରା, ପଦ୍ମନାଭ ବାରିକ, ଗୁରୁଚରଣ ବାରିକ ପ୍ରମୁଖ ୧୦ଗୋଟି ପରିବାର ଏବେ ଜଳବନ୍ଦୀରେ ରହିଛନ୍ତି । ଏହାଛଡା ଗ୍ରାମର ଆହୁରି ଅନେକ ପରିବାର ଜଳନିଷ୍କାସନ ଜନିତ ସମସ୍ୟା ଯୋଗୁ ସୃଷ୍ଟି ହୋଇଥିବା ମନୁଷ୍ୟକୃତ ବନ୍ୟାକୁ ମଧ୍ୟ ଅଳ୍ପ ବହୁତ ସାମ୍ନା କରୁଛନ୍ତି । ରାତିପାହିଲେ ଜଳବନ୍ଦୀ ପରିବାର ଲୋକେ ପାଣିରେ ଯାତାୟତ କରି ଦୈନନ୍ଦିନ ମୁଖ୍ୟରାସ୍ତାକୁ ଆସୁଛନ୍ତି । ଛୋଟଛୁଆ ଠାରୁ ଆରମ୍ଭ କରି ବୟସ୍କକଙ୍କ ଯାଏଁ ଦୈନନ୍ଦିନ ବାସଗୃହ ସାମ୍ନା ପାଣିରେ ଯାତାୟତ କରୁଥିବାରୁ ଜ୍ୱର ଥଣ୍ଡା ଭଳି ରୋଗରେ ମଧ୍ୟ ପୀଡିତ ହେଉଥିବା ଜଣାଯାଇଛି । ଯାହାକି ବର୍ତ୍ତମାନ କରୋନା ମହାମାରୀ ବେଳେ ଜୀବନ ପ୍ରତି ବିପଦ ଆଣିଦେଉଛି । ସବୁଠାରୁ ବଡକଥା ହେଲା ବର୍ଷାର ପରିମାଣ ବଢିଲେ ଘର ଭିତରେ ମଧ୍ୟ ପାଣି ପଶିଯାଉଥିବାରୁ ଲୋକମାନେ ରୋଷେଇବାସ କରିପାରୁନାହାଁନ୍ତି । ଏପରିକି କିଛି ବାସଗୃହର କାନ୍ଥ ପଡିଯାଇଥିବାବେଳେ ପରିବାର ଲୋକେ ଏବେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ବ୍ଲକର ଉକ୍ତ ଗ୍ରାଟି ଶେଷ ସୀମାରେ ଥିବାବେଳେ ଏବିଷୟରେ ଲୋକେ ପ୍ରଶାସନକୁ ଜଣାଇବା ସମ୍ଭବ ହୋଇପାରୁନାହିଁ । କିନ୍ତୁ ଏବିଷୟରେ ଗାଁର ୱାର୍ଡମେମ୍ବର ସମେତ ପ୍ରଭାବିତ ପରିବାର ସ୍ଥାନୀ ୟସରପଞ୍ଚ ସଦାଶିବ ଦାସଙ୍କୁ ଜଣାଇଥିଲେ ସୁଦ୍ଧା ନିର୍ବାଚିତ ପ୍ରତିନିଧି ହିସାବରେ ସେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିନଥିବା ଜଣାଯାଇଛି । ସରପଞ୍ଚ ଶ୍ରୀଦାସ ଘଟଣା ସମ୍ପର୍କରେ ଅବଗତ ଥାଇ ଏଭଳି ଏକ ଦୁଃଖଦ ସମୟରେ ଲୋକମାନଙ୍କୁ ନଭେଟି ଜଳନିଷ୍କାସନ ବାବଦରେ ଲିଖିତ ଆକାରରେ ଲୋକେ ଜଣାଇଲେ ସେ ଉପର ଅଧିକାରିଙ୍କୁ ଅବଗତ କରିବେ ବୋଲି କହି ନିଜ ଦାୟିତ୍ୱରୁ ଓହରିଯାଇଛନ୍ତି । ସେ ଯାହାବି ହେଉ ପ୍ରାୟ ୧୦୦ଲୋକ ଏବେ ଦିନଦିନ ଧରି ପାଣିରେ ଯାତାୟତ କରିବା ଘଟଣା ସାଂପ୍ରତିକ ସମୟର ସୁଶାସନ ବ୍ୟବସ୍ଥା ପ୍ରତି ଅଟ୍ଟହାସ୍ୟ ସୃଷ୍ଟି କରିଛି । ଏସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଘଟଣା କଣ ହୋଇଛି ତାଙ୍କୁ ଏବିଷୟରେ କେହି କହିନଥିବାବେଳେ ଏହା ଉପରେ ସେ ଦୃଷ୍ଟିଦେବେ ବୋଲି ସୂଚନା ଦେଇଛନ୍ତି । ଏପଟେ ପାଣିରେ ଦୈନନ୍ଦନ ଯାତାୟତ କରିବା ଦ୍ୱାରା ଲୋକମାନେ ଏବେ ଜ୍ୱରଥଣ୍ଡାରେ ଆକ୍ରାନ୍ତ ହେଉଥିବା ସୂଚନା ମିଳିଥିବାବେଳେ ମେଡିକାଲ କତ୍ତୃପକ୍ଷ ଏହା ଉପରେ ଦୃଷ୍ଟିଦେବା ଜରୁରୀ ହୋଇପଡିଛି ।