ଜଳ ପାଇଁ ଚିନ୍ତା ପ୍ରକଟ କଲେ ୭ ବର୍ଷର ବାଳକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ମାଡ଼ି ଆସୁଛି ପାନୀୟ ଜଳ ସଙ୍କଟ । ଯାହା ଏବେଠାରୁ ଜଳ ଜଳ ହୋଇ ଦେଖାଗଲାଣି । ଏ ନେଇ ସୃଷ୍ଟି ହେବ ଭୟାବହ ପରିସ୍ଥିତି । ପିଇବା ପାଇଁ ମିଳିବନି ପାଣି । ଏ ନେଇ ପରିବେଶ ବିଜ୍ଞାନୀ, ପରିବେଶବିତ୍ ଏବଂ ଜଳଯୋଦ୍ଧା ମାନେ ସତର୍କ ସୂଚନା ଦେଇସାରିଲେଣି । ଏକଥା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଆମେମାନେ ଜାଣୁ ପୃଥିବୀରେ ୩ଭାଗ ଜଳ ଏବଂ ଗୋଟିଏ ଭାଗ ସ୍ଥଳ ରହିଛି । ସେଥିମଧ୍ୟରୁ ୧ ପ୍ରତିଶତ ହେଉଛି ପାନୀୟ ଉପଯୋଗୀ ଜଳ । ଜଳର ଅପବ୍ୟବହାର, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ମାନବୀୟ ହସ୍ତକ୍ଷେପ ଯୋଗୁଁ ଦିନକୁ ଦିନ ଏହା ସଙ୍କଟ ଆଡ଼କୁ ଗତି କଲାଣି । ସଂପ୍ରତି ବଜାରରେ ଉପଲବ୍ଧ ସାଧା ପାନୀୟ ଜଳର ଲିଟର ପ୍ରତି ଦାମ୍ ଏବଂ ମିନିରେଲଯୁକ୍ତ ପାନୀୟ ଜଳ କ୍ଷୀର ଦାମ୍ ଠାରୁ ଅଧିକ ହୋଇଗଲାଣି । ତଥାପି ଆମେମାନେ ଚୁପ୍ ହୋଇ ବସିଛେ । ଏ ନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୭ ବର୍ଷର ବାଳକ ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ନିଜେ ରଙ୍ଗ, ତୁଳୀରେ ମନର କଥାକୁ ବଖାଣିବା ସହ ଚିନ୍ତାପ୍ରକଟ କରିଛନ୍ତି । ପାଣି ଓ କ୍ଷୀରକୁ ନେଇ ଆଙ୍କିଛନ୍ତି ଗୋଟିଏ ପାନୀୟ ଜଳ ବୋତଲ ଓ ଗୋଟିଏ କ୍ଷୀର ବୋତଲ । ଏଥିରେ ସେ ଦର୍ଶାଇଛନ୍ତି କ୍ଷୀର ଦାମ୍ ଠାରୁ ପାଣିର ଦାମ ଅଧିକ ହୋଇ ଗଲାଣି । ଖୁବ୍ ଶୀଘ୍ର ପୁଣି ପାଣିର ଦାମ୍ ବଢିବ ବୋଲି ଶାନ୍ତନୁ ଚିତ୍ର ମାଧ୍ୟମରେ ସତର୍କ ସୂଚନାର ବାର୍ତ୍ତା ଦେଇଛନ୍ତି । ଏବେ ଠାରୁ ଜଳର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ସହ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ନିତାନ୍ତ ଜରୁରୀ । ନଚେତ୍ ଜୀବଜଗତ ପାଇଁ ଆଉ ଏକ ବିପଦ ଉଭା ହେବ ଏବଂ ବିଲୀନ ହୋଇଯିବ ଏ ସୃଷ୍ଟି ବୋଲି କୁହନ୍ତି ଶାନ୍ତନୁ । ଶାନ୍ତନୁଙ୍କ ଏହି ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ପରିବେଶ ସୁରକ୍ଷା, ଜାତୀୟ ପର୍ବ ଓ ପର୍ବ ପର୍ବାଣୀ ଦିବସ ଗୁଡ଼ିକରେ ବିଭିନ୍ନ ଜନସଚେତନତାର ବାର୍ତ୍ତା ସେ ଚିତ୍ର ମାଧ୍ୟମରେ ବାଣ୍ଟୁଥିବାର ଜଣାପଡ଼ିଛି ।


