ଜାଇକା ଅଧିକାରୀଙ୍କ ସହ ବିଧାୟକ ମୋକିମଙ୍କ ସମୀକ୍ଷା ବୈଠକ
କଟକ,(ଦୀପକ୍ କୁମାର ବେଉରା): ଆଜି କଟକ ସ୍ଥିତ ନୂଆବଜାର ଜାଇକା କାର୍ଯ୍ୟାଳୟରେ କଟକ ସହରରେ ଜାଇକା କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ତୁଳସୀପୁର ଟିଭି ସେଣ୍ଟର ସ୍ଥିତ ପୋଖରୀର ଉନ୍ନତିକରଣ ଓ ପାର୍କ ନିର୍ମାଣ, ଚହଟା ଓ କୃଷକ ବଜାର ଅଞ୍ଚଳକୁ ଜାଇକା ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେବା ସହିତ ବିଡାନାଶୀ ଅଞ୍ଚଳର ବାକି ଥିବା ଜାଇକା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଗୁରୁତ୍ଵ ଦେଇଥିଲେ । କଟକ ସହରର ସମସ୍ତ ଛୋଟ ବଡ ନାଳର ମରାମତି, ପଙ୍କୋଦ୍ଧାର, ଜଳ ନିଷ୍କାସନ ସଂପର୍କରେ ପଚାରି ବୁଝିଥିଲେ । ମୁଖ୍ୟ ନାଳର କାନ୍ଥ ମରାମତି ଓ ସଦୃଢୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏଥି ସହିତ ବକ୍ସ ନାଳର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରିଥିଲେ । ବର୍ଷାଦିନ ପୂର୍ବରୁ ମୁଖ୍ୟନାଳ ସମେତ ଗଳିକନ୍ଦି ନାଳ ଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ଆଲୋଚନାରେ ସ୍ଥାନ ପାଇଥିଲା । ଜାଇକା କାର୍ଯ୍ୟର ମନ୍ଥରତା ପାଇଁ ବିଧାୟକ ଶ୍ରୀ ମୋକିମ ଅସନ୍ତୋଷ ବ୍ୟକ୍ତ କରି କେବଳ ଜାଇକା ତ୍ରୁଟି ନିମନ୍ତେ ସହରବାସୀ ବର୍ଷା ଦିନେ କାହିଁକି ବର୍ଷ ତମାମ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ୨୦୨୧ ସୁଦ୍ଧା ସ୍ଵରେଜ କାର୍ଯ୍ୟ ସମେତ ୨୦୨୨ ସୁଦ୍ଧା ବକ୍ସ ଡ୍ରେନ ଓ ଜାଇକା ପ୍ରକଳ୍ପ ଶେଷ କରିବା ପାଇଁ ଜାଇକା ଅଧିକାରୀମାନେ ପ୍ରତିଶୃତି ଦେବା ସହିତ ରାସ୍ତାଘାଟ ଓ ନାଳ ନର୍ଦ୍ଦମାର ସମସ୍ୟା ଦୂର କରିବାକୁ ଉଦ୍ୟମ ହେଉଥିବା ସୂଚନା ଦେଇଥିଲେ । ବୈଠକରେ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ସମେତ ଜାଇକାର ଅଧିକାରୀ ଗୋଲଖ ବିହାରୀ ପରିଡା, ବିକ୍ରମ କେଶରୀ ମିଶ୍ର, ତାନ୍ତିଆ ଅଧିକାରୀ ବି ପି ସିଂ, ଏଲ ଆଣ୍ଡ ଟି ଅଧିକାରୀ ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ତଥା ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ଶୈଳବାଳା ଜେନା, ଅଜିତ ବେହେରା,ମହମ୍ମଦ ଅଲିମ,ସୁରଜିତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।