ଜାଇଫଳରେ ନନ୍ଦିଘୋଷ, ଗୁଆରେ ତାଳଧ୍ୱଜ ଓ ହଳଦୀରେ ଦର୍ପଦଳନ ରଥ ନିର୍ମାଣ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ପୂର୍ବରୁ ଖାଦ୍ୟ ଶସ୍ୟରେ ଅନେକ ନିଆରା ତଥା କ୍ଷୁଦ୍ର କଳାକୃତି କରି ଚର୍ଚ୍ଚିତ ହୋଇଥିବା ବ୍ରହ୍ମପୁରର ହରଗୋବିନ୍ଦ ମହାରଣା ସୋମବାର ଆଉ ଏକ କ୍ଷୁଦ୍ର କଳାକୃତି ସୃଷ୍ଟି କରିଛନ୍ତି । ଜାଇଫଳରେ ନନ୍ଦିଘୋଷ, ଗୁଆରେ ତାଳଧ୍ୱଜ ଓ ହଳଦୀରେ ଦର୍ପଦଳନ ରଥର କ୍ଷୁଦ୍ରାକୃତି ନିର୍ମାଣ କରିଛନ୍ତି ସେ । ସବୁଥିରେ ରହିଛି ଠାକୁରଙ୍କ ମୂର୍ତ୍ତି, ଓଲଟା ଶୁଆ, ପତାକା ଓ ଡୋର ଆଦି । ଦୁଇ ଗୋଟି ଜାଇଫଳରେ ଶ୍ରୀଜଗନ୍ନାଥଙ୍କ ୧.୩/୪ ଇଞ୍ଚର କ୍ଷୁଦ୍ର ରଥ କରିଛନ୍ତି ଯେଉଁଥିରେ ରହିଛି ୧୬ଟି ଚକ । ଗୋଟା ଗୁଆରେ ସେ ତିଆରି କରିଛନ୍ତି ଦେଢ଼ ଇଞ୍ଚର ବଳଭଦ୍ର ଠାକୁରଙ୍କ ରଥ ଯେଉଁଥିରେ ରହିଛି ୧୪ଟି ଚକ । ସେହିପରି ଗଣ୍ଠି ହଳଦୀରେ ୧.୧/୪ ଇଞ୍ଚର ସୁଭଦ୍ରା ରଥରେ ୧୨ ଚକ ରିହଛି । ଗୁଆକୁ ଖୋଦେଇ କରି ସେ କରିଛନ୍ତି ଏହି ନିଆରା ରଥ । ସୋମବାର ଅପରାହ୍ଣରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦ୍ୱାରା ହରଗୋବିନ୍ଦ ଏହି କ୍ଷୁଦ୍ର ରଥ ଉଦ୍ଘାଟନ କରି ଠାକୁରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ଜଗନ୍ନାଥ ଅଟୋ ନଗରରେ ଏକ ଗ୍ୟାରେଜ୍ କରିଥିବା ହରଗୋବିନ୍ଦଙ୍କ ଘର ଶ୍ରୀରାମ ନଗର ଜଗନ୍ନାଥ ବିହାର । ଗ୍ୟାରେଜ୍ର ଟୁଲ୍ କିଟ୍ ସହ ଅପରେସନ୍ ବ୍ଲେଡ୍, ପାୱାର୍ ଗ୍ଲାସ୍ ଜରିଆରେ ସେ କରିଛନ୍ତି ଏହି କ୍ଷୁଦ୍ର କଳାକୃତି ।୨୦୧୮ ରଥଯାତ୍ରା ବେଳେ ୫୧ କିସମର ଖାଦ୍ୟ ଶସ୍ୟକୁ ନେଇ ସେ କରିଥିଲେ ନନ୍ଦିଘୋଷ ରଥ । ଭୁବନେଶ୍ୱରରେ ବିଶ୍ୱ କପ୍ ହକି ବେଳେ ଖାଦ୍ୟ ଶସ୍ୟକୁ ନେଇ ସେ ତିଆରି କରିଥିଲେ ଷ୍ଟାଡିୟମ୍ ପ୍ରତିକୃତି । ଗତବର୍ଷ ସ୍ୱାଧୀନତା ଦିବସରେ ସାଇକେଲ୍ ଚକକୁ ନେଇ ସ୍ୱଚ୍ଛ ଭାରତ ଚଷମା, ଲାଲ୍ ରଙ୍ଗର ପେନ୍ସିଲ୍ ମୁନରେ ଗୋଟିକିଆ ଶ୍ରୀଗଣେଶ କ୍ଷୁଦ୍ର ମୂର୍ତ୍ତି, ଡିସେମ୍ବରରେ କ୍ଷୁଦ୍ର ସାନ୍ତାକ୍ଲଜ୍ ଆଦି ତିଆରି କରିଥିଲେ ସେ । ଏଥିସହ ବିଭିନ୍ନ ସମୟରେ ମାଣ୍ଡିଆ, ହଳଦୀ, ଜାଇଫଳ, ମୁଗ, ହରିଡା ଫଳ ଆଦି ଖାଦ୍ୟ ଶସ୍ୟକୁ ନେଇ ଜାତୀୟ ପତାକା, ବିଭିନ୍ନ ଦଳର ପତାକା କରି ସେ ଚର୍ଚ୍ଚାକୁ ଆସିଥିଲେ । ସମ୍ପ୍ରତି ପେନ୍ସିଲ୍ ମୁନରେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ମଧ୍ୟ ଲେଖିଥିବା ସେ କହିଛନ୍ତି । ହରଗୋବିନ୍ଦ କହନ୍ତି- ଗ୍ୟାରେଜ୍ରୁ ଫେରିବା ପରେ ଟିଭି, ମୋବାଇଲ୍ରେ ସମୟ ନଷ୍ଟ କରିବା ଅପେକ୍ଷା ନିଜ କଳାତ୍ମକ ସୃଜନ ଦିଗରେ ସେ ଅଧିକ ସମୟ ଦେବାକୁ ପ୍ରୟାସ କରି ଆସୁଛନ୍ତି ।