ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ
ୟୁନେସ୍କୋ: ଭାରତକୁ ବୁଧବାର ଅନ୍ତର୍ଜାତୀୟ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି। ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସସି)ର ଅସ୍ଥାୟୀ ସଦସ୍ୟତା ହାସଲ କରିଛି ଭାରତ। ଭାରତକୁ ପରିଷଦରେ ସଦସ୍ୟତା ହାସଲ ସକାଶେ ୧୨୮ଟି ସମର୍ଥନ ଆବଶ୍ୟକ ପଡ଼ୁଥିବା ବେଳେ ଏହା ସପକ୍ଷରେ ୧୯୩ ସଦସ୍ୟବିଶିଷ୍ଟ ଜାତିସଂଘ ଆସେମ୍ବ୍ଲିର ୧୮୪ଟି ସଦସ୍ୟ ଦେଶ ଭୋଟ୍ ଦେଇଥିଲେ। ଏହି ଶକ୍ତିଶାଳୀ ପରିଷଦରେ ଭାରତ ଅଷ୍ଟମ ଥର ପାଇଁ ସଦସ୍ୟତା ହାସଲ କରିବା ସହ ଆସନ୍ତା ଦୁଇ ବର୍ଷ ପାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବ। ଭାରତ ବ୍ୟତୀତ ଆୟରଲାଣ୍ଡ୍, ମେକ୍ସିକୋ ଓ ନରୱେ ମଧ୍ୟ ୟୁଏନ୍ଏସସିରେ ସଦସ୍ୟତା ହାସଲ କରିଛନ୍ତି। କିନ୍ତୁ କାନାଡାକୁ ଆବଶ୍ୟକ ସଂଖ୍ୟକ ବହୁମତ ନ ମିଳିବାରୁ ଏହା ସଦସ୍ୟତାରୁ ବଞ୍ଚିତ ହୋଇଛି। ଏ ସଂକ୍ରାନ୍ତରେ ଭାରତର ଜାତିସଂଘରେ ସ୍ଥାୟୀ ମିଶନ୍ ଭାବେ କାର୍ଯ୍ୟ କରୁଥିବା ଅଧିକାରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ୟୁଏନ୍ଏସସିରେ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ସକାଶେ ଭାରତ ସଦସ୍ୟତା ହାସଲ କରିଛି ଓ ୧୯୨ଟି ଭୋଟ୍ ମଧ୍ୟରୁ ଭାରତ ସପକ୍ଷରେ ୧୮୪ଟି ଭୋଟ୍ ମିଳିଥିବା ଅଧିକାରୀ ଜଣକ କହିଛନ୍ତି।
ଆସନ୍ତା ଜାନୁଆରୀ ୧ ତାରିଖରୁ ୨୦୨୧-୨୨ ବର୍ଷ ଆରମ୍ଭ ହେଉଥିବା ବେଳେ ଜାତିସଂଘର ଏହି ଶକ୍ତିଶାଳୀ ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ଚୀନ୍, ଫ୍ରାନ୍ସ, ରୁଷିଆ, ଯୁକ୍ତରାଜ୍ୟ ଓ ଆମେରିକା ରହିଛନ୍ତି। ଏହାଛଡ଼ା ଇସ୍ତୋନିଆ, ନାଇଜର୍, ସେଣ୍ଟ୍ ଭିନସେଣ୍ଟ୍, ଦ ଗ୍ରେନେଡାଇନ୍ସ, ଟ୍ୟୁନିସିଆ ଓ ଭିଏତନାମ ଆଦି ଅସ୍ଥାୟୀ ଭାବେ ପରିଷଦର ସଦସ୍ୟ ରହିଛନ୍ତି। ସେହିପରି ବେଲଜିୟମ୍, ଡୋମିନିକାନ୍ ରିପବ୍ଲିକ୍, ଜର୍ମାନୀ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶର ସଦସ୍ୟତା କାର୍ଯ୍ୟକାଳ ଚଳିତ ବର୍ଷ ହେଶ ହେଉଛି। ବିଗତ କେଇ ବର୍ଷ ହେଲା ଭାରତ ୟୁଏନ୍ଏସିସି ସଦସ୍ୟତା ହାସଲ ପାଇଁ ଉଦ୍ୟମ କରିଆସୁଥିବା ବେଳେ ଗତବର୍ଷ ଜୁନରେ ଚୀନ୍ ଓ ପାକିସ୍ତାନ ସମେତ ଏସିଆ-ପ୍ୟାସିଫିକ୍ ଗ୍ରୁପର ୫୫ ସଦସ୍ୟ ଦେଶ ଭାରତର ସଦସ୍ୟତାକୁ ସମର୍ଥନ କରିଥିଲେ। ପୂର୍ବରୁ ମଧ୍ୟ ଭାରତ ୭ ଥର ଏହି ପରିଷଦର ସଦସ୍ୟତା ହାସଲ କରିଥିଲା। ଶେଷ ଥର ପାଇଁ ଦେଶ ଗତ ୨୦୧୧-୧୨ରେ ଏଥିରେ ସଦସ୍ୟ ଭାବେ କାର୍ଯ୍ୟ କରିଥିଲା। ବୁଧବାର ପୂର୍ବାହ୍ନ ୯ଟା ବେଳେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆସେମ୍ବ୍ଲିର ୭୫ତମ ଅଧିବେଶନ ସକାଶେ ସଭାପତି ନିର୍ବାଚନ ମଧ୍ୟ ହୋଇଥିଲା।