ଜାତି ଜନଗଣନା ଓ ୨୭% ସଂରକ୍ଷଣ ଦାବିରେ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିବ ସମାଜବାଦୀ ପାର୍ଟି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଦେଶରେ ବାଘ, ହାତୀଙ୍କର ଗଣନା ହେଉଛି, ପକ୍ଷୀ, କଇଁଛ ଓ କୁମ୍ଭୀରଙ୍କର ଗଣନା ହେଉଛି । କିନ୍ତୁ ପଛୁଆବର୍ଗଙ୍କ ଗଣନା ପାଇଁ କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଛନ୍ତି । ୨୦୧୮ ମସିହା ଅଗଷ୍ଟ ମାସରେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ପ୍ରତିଶ୍ରୁତି ଦେଇଥିଲେ ଯେ, ୨୦୨୧ ଜାତୀୟ ଜନଗଣନାରେ ପଛୁଆବର୍ଗ ଜନଗଣନା କରାଯିବ । କିନ୍ତୁ ସେଥିପାଇଁ ସରକାର କୌଣସି ପଦକ୍ଷେପ ନେଲେନାହିଁ । ଜନଗଣନା ପାଇଁ ଛପା ଯାଇଥିବା ଫର୍ମରେ ଜାତି ଜନଗଣନା ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇ ନାହିଁ । ଏହାକୁ ନେଇ ସଂସଦରେ ୧୨୭ତମ ସମ୍ବିଧାନ ସଂଶୋଧନ ଆଲୋଚନାରେ ଅଂଶଗ୍ରହଣ କରି ସମାଜବାଦୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦାବି କରିଛନ୍ତି । ସେହିଭଳି ସଂରକ୍ଷଣ ଥିବା ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ସେ ମଧ୍ୟ ସଂସଦରେ ଦାବି ଦୋହରାଇଛନ୍ତି । ଏହାକୁ ନେଇ ଦେଶରେ ରାଜନୀତି ସରଗରମ ହୋଇପଡ଼ିଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହା ଉପରେ ସ୍ୱର ଉତ୍ତୋଳନ କରିଛନ୍ତି । ଓଡ଼ିଶାରେ ମଧ୍ୟ ଶାସକ ବିଜୁ ଜନତା ଦଳ ପକ୍ଷରୁ ସ୍ୱରାଷ୍ଟ ମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଗାମୀ ବିଧାନସଭା ସମୟରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଜାତି ଜନଗଣନା ଓ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବା ଦାବିରେ ବିଧାନ ସଭା ସମ୍ମୁଖରେ ପ୍ରତିବାଦ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଓଡ଼ିଶାରେ ପଛୁଆବର୍ଗଙ୍କ ସଂଖ୍ୟା ୫୪ପ୍ରତିଶତରୁ ଅଧିକ । ତେଣୁ ସଂରକ୍ଷଣକୁ ୫୦ପ୍ରତିଶତ ଭିତରେ ସୀମିତ ରଖିବା ଯୋଗୁ ପଛୁଆବର୍ଗର ଲୋକେ ନିଯୁକ୍ତି କ୍ଷେତ୍ରରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ପାଉଛନ୍ତି । ଶିକ୍ଷା କ୍ଷେତ୍ରରେ ଆଜିପର୍ଯ୍ୟନ୍ତ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ସଂରକ୍ଷଣର ସୁବିଧା ପାଇପାରି ନାହାଁନ୍ତି । ଯାହାଫଳରେ କେବଳ ଚଳିତବର୍ଷ ୫୧୦ଜଣ ଛାତ୍ରଛାତ୍ରୀ ଡ଼ାକ୍ତରୀ ପାଠ୍ୟକ୍ରମରେ ନାମଲେଖାରୁ ବଞ୍ôଚତ ହେବାକୁ ଯାଉଛନ୍ତି । ସେହିଭଳି ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ୬୭୯୮ ଗ୍ରାମ ପଞ୍ଚାୟତରୁ ପଛୁଆବର୍ଗ ୨୪୩୮ ପଦବୀ ହରାଇବାକୁ ଯାଉଛି । ୩୧୪ଟି ବ୍ଲକ ଅଧ୍ୟକ୍ଷ ମଧ୍ୟରୁ ୮୫ଟି ବ୍ଲକ ଅଧ୍ୟକ୍ଷ ପଦବୀ ମଧ୍ୟ ପଛୁଆବର୍ଗ ଲୋକେ ହରାଇବା ସଙ୍ଗେ ସଙ୍ଗେ ୨୨୭ଟି ଜିଲ୍ଲା ପରିଷଦ ସଭ୍ୟ ପଦ ଏବଂ ୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହରାଇବେ । ତେଣୁ ପଛୁଆବର୍ଗ ଜନସାଧାରଣଙ୍କ ତୃଣମୂଳସ୍ତରରେ ଅଂଶଗ୍ରହଣ ଓ ରାଜ୍ୟର ବିକାଶ ପ୍ରକ୍ରିୟାରେ ସହଭାଗିତାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ତୁରନ୍ତ ବିଧାନସଭାରେ ଏକ ସର୍ବସମ୍ମତ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ପାଖରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ଦାବି ଉପସ୍ଥାପିତ କରନ୍ତୁ । ସେହିଭଳି ଜାତି ଜନଗଣନାକୁ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ବିହାର ଢାଞ୍ଚାରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ତା ନହେଲେ ଆଗାମୀ ବିଧାନସଭା ସମୟରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସଂରକ୍ଷଣ ଦାବିରେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।


