ଜାତି ଭିତ୍ତିକ ପଛୁଆବର୍ଗ ଜନଗଣନା ଦାବି
ବାଲେଶ୍ୱର, (ସରୋଜ ପଣ୍ଡା): ଜାତି ଭିତ୍ତିକ ପଛୁଆବର୍ଗ ଜନଗଣନା ଦାବିରେ ଉତ୍କଳ ଯାଦବ ମହାସଂଘ ପକ୍ଷରୁ ଦାବି କରାଯାଇଛି ।ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ମନୋଜ କୁମାର ଦାସ ଓ ସମ୍ପାଦକ ରବୀନ୍ଦ୍ର ମହାକୁଡଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ ସହ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ଯାଦବ ଜାତିର ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମଗ୍ର ଦେଶରେ ଯାଦବ ଜାତିରେ ଅଧିକ ସଂଖ୍ୟାର ଲୋକେ ଥିଲେ ବି ଏହାର ପ୍ରମାଣ ଭିତ୍ତିକ ତଥ୍ୟାବଳୀ ସରକାରୀ ଦପ୍ତରରେ ଉପଲବ୍ଧ ନାହିଁ । ଆଭ୍ୟନ୍ତରୀୟ ଗଣନା ଅନୁଯାୟୀ ଭାରତରେ ବସବାସ କରୁଥିବା ଯାଦବଙ୍କ ସଂଖ୍ୟା ପ୍ରାୟ ୨୨କୋଟି ହୋଇଥିବା ବେଳେ ମଣ୍ଡଳ ଆୟୋଗ ଅନୁଯାୟୀ, ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବଙ୍କ ସଂଖ୍ୟା ୫୨ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ୨୦୧୮ ମସିହାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଜାତିଭିତ୍ତିକ ଜନଗଣନା କରିବାକୁ ସଂସଦରେ ଘୋଷଣା କରାଯାଇଥିଲା ।ଏହା ସହିତ ପଛୁଆବର୍ଗଙ୍କ ଜାତିଭିଭିକ ଜନଗଣନା ପାଇଁ ଜାତୀୟ ଆୟୋଗ ମଧ୍ୟ ପରାମର୍ଶ ଦେଇଥିଲେ । ମାତ୍ର ଗତ ଜୁଲାଇ ମାସରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓବିସି ବର୍ଗରେ ଜାତି ଭିତ୍ତିକ ଜନଗଣନା ହେବନାହିଁ ବୋଲି ଘୋଷଣା କରାଗଲା । ଏଥିରେ କେବଳ ଯାଦବ ଜାତି ନୁହେଁ ବରଂ ସମଗ୍ର ପଛୁଆବର୍ଗ ବିଶେଷ ଭାବେ ଆଘାତ ପାଇଥିବା ଉତ୍କଳ ଯାବଦ ମହାସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଅତଏବ ଜାତୀୟ ଜନଗଣନା-୨୦୨୧ରେ ଅନ୍ୟାନ୍ୟ ବର୍ଗଙ୍କ ଭଳି ପଛୁଆବର୍ଗଙ୍କୁ ସାମିଲ ସହ ଜାତିଭିଭିକ ଜନଗଣନା କରିବାକୁ ସମଗ୍ର ଦେଶରେ ଯାଦବସମାଜ ପକ୍ଷରୁ ଦାବି କରାଯାଇଛି । ଏନେଇ ଉତ୍କଳ ଯାବଦ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରୀ ଦାସ ଓ ଶ୍ରୀ ମହାକୁଡ଼ଙ୍କ ସମେତ ମହାସଂଘର ଉପଦେଷ୍ଟା କାର୍ତ୍ତିକ ବେହେରା, ଶୀତଲ ଯାଦବ, ଜୟହିନ୍ଦ ଯାଦବ, ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


